ଯାଜପୁର : ପରିବେଶ ସୁରକ୍ଷା ପାଇଁ ଏକ ଅନ୍ତର୍ଭୃକ୍ତି କରଣ ପରିଯୋଜନାର ଆବଶ୍ୟକତା ରହିଛି | ଉତ୍ସର୍ଗୀକୃତ ମନୋଭାଵ ଏବଂ ଚେତନାର ପରିସ୍ପୁଟନ ଏଥିପାଇଁ ଏକାନ୍ତ ଜରୁରୀ , ଏହି ଯୋଜନା ପ୍ରଚାରଧର୍ମୀ କିମ୍ବା ପ୍ରସାର ଧର୍ମୀ ନହୋଇ ପ୍ରୟୋଗାତ୍ମକ ଆବଶ୍ୟକ | ଗତକାଲି ଅପରାହ୍ନରେ ଯାଜପୁର ଜିଲ୍ଲାର ବିଂଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁରସ୍ଥିତ କମଳା ମଣ୍ଡପ ପରିସରରେ ନିର୍ବାଚନମଣ୍ଡଳୀ ସ୍ତରୀୟ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯାଜପୁର ସାଂସଦ ଡ଼. ରବିନାରାୟଣ ବେହେରାଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ପରିବେଶବିତ୍ , ବହୁ ବୁଦ୍ଦିଜୀଵୀ , ଶିକ୍ଷାବିତ୍ ଏବଂ ଆଖପାଖ ଅଞ୍ଚଳବାସୀ ଏକାଠି ହୋଇ ପରିବେଶୀୟ ଅସନ୍ତୁଳନ , ଦ୍ରୁତ ଜଙ୍ଗଲ କ୍ଷୟ , ଭୂତଳ ଜଳସ୍ତର ଓ ଆଗାମୀ ଦିନରେ ସମାଧାନ ଦିଗରେ ବହୁ ଗୁରୁତ୍ୱପୂର୍ଣ ଆଲୋଚନା କରିଥିଲେ | ଅନ୍ୟତମ ଅତିଥି ତଥା କଂଗ୍ରେସ ନେତା ପଦ୍ମାକର ଗୁରୁ , ରାମବାଗ ରିଜିଓନାଲ କଲେଜ ଅଧ୍ୟକ୍ଷ ତଥା ପରିବେଶବିତ୍ ଶାନ୍ତନୁ କୁମାର ନାୟକ, ବିଂଝାରପୁର ସାମ୍ବାଦ ସାହିତ୍ୟଘର ସଭପତି ରବିନାରାୟଣ ସାମଲ , ସାହିତ୍ୟିକ ଜଗନ୍ନାଥ ଧଳ ପ୍ରମୁଖ ଯୋଗଦେଇ ପରିବେଶ ପ୍ରଦୂଷଣ , ଜଳବାୟୁ ପରିବର୍ତ୍ତନ ମାନବ ସମାଜ ପାଇଁ ସତର୍କ ଘଣ୍ଟି ବୋଲି କହିଥିଲେ | ଏବେଠାରୁ ସଚେତନ ନ ହେଲେ ମାନବ ସମାଜ ତଥା ଜୀବ ଜଗତର ଅସ୍ତିତ୍ବ କ'ଣ ହେବ ତାହା କହିବା ମୁସ୍କିଲ | ତେଣୁ ନୂଆ ପୃଥିବୀ ପାଇଁ ନୂଆ କିଛି ଚିନ୍ତା କରିବାର ଏବେ ଠାରୁ ସମୟ ଆସିଛି | କେବଳ ଗଛ ଲଗାଇଲେ ହେବ ନାହିଁ , ନିଜ ପିଲା ଭଳି ଏହାର ଯତ୍ନ ନେଲେ ଆମର ଭବିଷ୍ୟତ ସୁରକ୍ଷିତ ରହିବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ | ଅନ୍ୟତମ ଅତିଥି ଶିକ୍ଷାବିତ୍ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼. ପଦ୍ମଚରଣ ଧଳ ପରିବେଶର ସୁରକ୍ଷା ପାଇଁ ଏକ ଅନ୍ତର୍ଭୁକ୍ତି କରଣ ଯୋଜନାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ବିଜେପି ନେତା ନିରଂଜନ ବେଉରିଆ , ପୁରୁଷୋତ୍ତମ ବେହେରା , ସୁଶାନ୍ତ କୁମାର ନାୟକ , ନିରଂଜନ ପାତ୍ର , ଅବସରପ୍ରାପ୍ତ ଶିକ୍ଷକ ନିରଞ୍ଜନ ଦାସ , ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ପ୍ରଧାନ , ଅବସରପ୍ରାପ୍ତ ପ୍ରାଧ୍ୟାପକ ଅଜୟ ଓଝା , ସମାଜସେବୀ ଚନ୍ଦ୍ର ଶେଖର ଧଳ , ଅବସରପ୍ରାପ୍ତ ଶିକ୍ଷକ ସଚ୍ଚିଦାନନ୍ଦ ଗୁରୁ , ଉମାକାନ୍ତ ନାୟକ , ଅବସରପ୍ରାପ୍ତ ଶିକ୍ଷକ ପ୍ରଦୀପ ଜେନା , ଅଜୟ କୁମାର ଚାନ୍ଦ , ଆସାଦୁଲ୍ଲା ଖାନ , ଆଲୋକ ବିନ୍ଧାଣୀ, ସମାଜସେବୀ କନକଲତା ମଲ୍ଲିକ , ମେଘନାଦ ମହାଳିକ , ଅବସର ଶିକ୍ଷକ କଳାକର ପାତ୍ର , ଅଜୟ ମଲ୍ଲିକ ସମେତ ଶତାଧିକ ବୁଦ୍ଧିଜୀଵୀ ଯୋଗଦେଇଥିଲେ |
0 Comments