ନିମାପଡା, ପ୍ରତିନିଧି: ନିମାପଡା ବ୍ଲକର ବହୁ ପ୍ରତୀକ୍ଷିତ ହରିପୁର–ବଳଙ୍ଗା ରାସ୍ତା ନିର୍ମାଣ କାମକୁ ନେଇ ଏବେ ଉଠିଛି ସଙ୍ଗୀନ ପ୍ରଶ୍ନ। ପ୍ରାୟ ୨୧ କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ଏହି ରାସ୍ତା କାମ ସମ୍ପୂର୍ଣ୍ଣ ହେବା ପୂର୍ବରୁ ହିଁ ସାମାନ୍ୟ ବର୍ଷାରେ ବିଭିନ୍ନ ସ୍ଥାନରେ ପିଚୁ ଫାଟିଯିବା, ଉଠିଯିବା ଓ ଗାତ ସୃଷ୍ଟି ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଫଳରେ ନିର୍ମାଣ କାମର ଗୁଣବତ୍ତାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି।
ସ୍ଥାନୀୟଙ୍କ କହିବା ଅନୁସାରେ, କାମ ଶେଷ ହେବା ପୂର୍ବରୁ ଯଦି ରାସ୍ତାର ଏଭଳି ଅବସ୍ଥା, ତେବେ ଭବିଷ୍ୟତରେ ଏହା କେତେଦିନ ସ୍ଥାୟୀ ହେବ ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। କୋଟି କୋଟି ଟଙ୍କା ବ୍ୟୟ ସତ୍ତ୍ୱେ ଯଦି ରାସ୍ତାର ଗୁଣବତ୍ତା ଏଭଳି ରହେ, ତେବେ ଏହି ପ୍ରକଳ୍ପରୁ ପ୍ରକୃତରେ ଲାଭ କାହାକୁ ମିଳିଲା—ଠିକାଦାରଙ୍କୁ ନା ସାଧାରଣ ଜନତାଙ୍କୁ? ଏଭଳି ପ୍ରଶ୍ନ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ନିର୍ମାଣ କାମର ମାନ, ବ୍ୟବହୃତ ସାମଗ୍ରୀ ଓ କାର୍ଯ୍ୟ ତଦାରଖକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି।
ଅଞ୍ଚଳବାସୀ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ନିର୍ମାଣ କାମର ଗୁଣବତ୍ତା ଯାଞ୍ଚ କରି ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ଦାବି କରିଛନ୍ତି।
ଏହି ଘଟଣାକୁ ନେଇ ପୂର୍ତ୍ତ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ, ଖବର ପ୍ରସ୍ତୁତି ସୁଦ୍ଧା ବିଭାଗୀୟ ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଏବେ ଦେଖିବାକୁ ବାକି ରହିଲା, ଅଭିଯୋଗର ସତ୍ୟତା ଯାଞ୍ଚ କରି ପୂର୍ତ୍ତ ବିଭାଗ କେଉଁ ପଦକ୍ଷେପ ନେଉଛି। ବ୍ୟୁରୋ ରିପୋର୍ଟ ଦି ରୁରାଲ ନିୟୁଜ୍ ଓଡ଼ିଆ।


.jpg)
0 Comments