ପୁରୀ/ କଣାସ :କଣାସରେ ଦିନ ଦିବାଲୋକରେ ଯୁବକଙ୍କୁ ପନିକିରେ ହାଣିବା ଓ ବୁଲେଟ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ ଘଟଣାକୁ ନେଇ ଅଞ୍ଚଳରେ ତିବ୍ର ଉତ୍ତେଜନା ଦେଖାଦେଇଛି। ଏହି ଘଟଣାକୁ ନେଇ ଆଜି କଣାସରେ ପହଞ୍ଚିଥିଲେ କଂଗ୍ରେସ ନେତା ଓ ପୂର୍ବତନ ସତ୍ୟବାଦୀ ବିଧାୟକ ପ୍ରସାଦ ହରିଚନ୍ଦନ।
ଶତାଧିକ ମହିଳା ଓ ପୁରୁଷଙ୍କୁ ସହ ନେଇ ଦୋକନ୍ଦା ମେଳନ ପଡ଼ିଆରୁ ରାଲି କରି ଘଟଣାସ୍ଥଳକୁ ଯାଇ ପ୍ରତିବାଦ ସଭା କରିଥିଲେ। ପରେ ଗୁରୁତର ଆହତ ମୃତ୍ୟୁଞ୍ଜୟ ଭାରିମଲ୍ଲଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରସାଦ ହରିଚନ୍ଦନ କହିଛନ୍ତି, କଣାସରେ ଘଟିଥିବା ଏହି ଘଟଣା ଅତ୍ୟନ୍ତ ବର୍ବର, ଅମାନବୀୟ ଓ ନାରକୀୟ। ରାଜ୍ୟରେ ଦିନକୁ ଦିନ ହିଂସା ଓ ଅରାଜକତା ବଢ଼ୁଥିବା ବେଳେ ସ୍ଥାନୀୟ ରାଜନେତାଙ୍କ ଛତ୍ରଛାୟାରେ ଅପରାଧୀମାନେ ସୁରକ୍ଷା ପାଉଥିବା ଅଭିଯୋଗ କରିଛନ୍ତି।
ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ସହ ପୁରୀ ସାଂସଦ ଓ ସ୍ଥାନୀୟ ବିଧାୟକଙ୍କ ସମ୍ପର୍କ ଥିବା ମଧ୍ୟ ସେ ଅଭିଯୋଗ ଆଣିଛନ୍ତି। ଘଟଣାକୁ ଛଅ ଦିନ ବିତିଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇନଥିବାରୁ ପୋଲିସର ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି।
ସେ କହିଛନ୍ତି, ବାଲି ବ୍ୟବସାୟକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପୂର୍ବରୁ ବିବାଦ ଥିଲା। ସବୁ ଜାଣିଥିଲେ ମଧ୍ୟ ପୋଲିସ ସମୟରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା।
ଅନ୍ୟପଟେ ଆହତ ବ୍ୟକ୍ତିଙ୍କ ଗ୍ରାମ ଦୋକନ୍ଦାରେ ଗ୍ରାମବାସୀମାନେ ବୈଠକ କରି ପୋଲିସ ପ୍ରଶାସନ ପ୍ରତି ଅସନ୍ତୋଷ ପ୍ରକାଶ କରିଛନ୍ତି। କଣାସ ଥାନା ଅଧିକାରୀଙ୍କ ଜରିଆରେ ପୁରୀ ଏସପିଙ୍କୁ ଲିଖିତ ଭାବେ ଜଣାଇ ମୁଖ୍ୟ ଅଭିଯୁକ୍ତ ସହ ସମସ୍ତଙ୍କୁ ଶୀଘ୍ର ଗିରଫ କରିବାକୁ ଦାବି କରିଛନ୍ତି।
ଦାବି ପୂରଣ ନହେଲେ ଆଗାମୀ ଦିନରେ କଣାସ ଥାନା ଘେରାଉ ସହ ବଡ଼ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଓ କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି।


.jpg)
0 Comments