ଦ ରୁରାଲ ବ୍ୟୁରୋ- ପୁରୀ ବାସେଳି ସାହି ଥାନା ଗୁରୁକୃପା ଆଶ୍ରମରେ ହତ୍ୟା। ଜଣେ ବାବା ଆଉ ଜଣେ ବାବାଙ୍କୁ କାଠ ଫାଳିଆରେ ପିଟି ପିଟି ଅତି ନିର୍ମମ ଭାବେ ହତ୍ୟା କରିଛି।
ସେହିପରି ଆଉ ଜଣେ ବାବାଙ୍କ ମୁଣ୍ଡରେ ଇଟା ଛେଚି ତାଙ୍କୁ ଗୁରୁତର ଆହତ କରିଛି। ମୃତ ବାବା ଜଣକ ହେଉଛନ୍ତି ପଶ୍ଚିମବଙ୍ଗର ଅର୍ଜୁନ ଦାସ। ସେହିପରି ଆହତ ହୋଇଥିବା ବାବାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି। ଆକ୍ରମଣ କରିଥିବା ଅଭିଯୁକ୍ତ ବାବା ଜଣକ ହେଉଛି ବିଷ୍ଣୁ ଓରଫ ରବୀନ୍ଦ୍ର ଜେନା। ତେବେ ଆଶ୍ରମରେ ରହୁଥିବା ଅନ୍ୟ ସାଧୁମାନଙ୍କ ସୂଚନା ଅନୁସାରେ ଅଭିଯୁକ୍ତ ବିଷ୍ଣୁ ବାବା ଆଜି ଅପରାହ୍ନରେ ବାହାରୁ ନିଶା ଖାଇ ଆଶ୍ରମ ଆସିଥିଲା। ପରେ ଆଶ୍ରମର ଉପର ମହଲାର କୋଠରୀରେ ଶୋଇଥିବା ଅର୍ଜୁନ ବାବାଙ୍କୁ କାଠ ଫାଳିଆରେ ହଠାତ୍ ତାଙ୍କ ମୁଣ୍ଡକୁ ମରଣାନ୍ତକ ଆକ୍ରମଣ କରିଥିଲା। ଅତି ନିର୍ମମ ଭାବେ କାଠ ଫାଳିଆରେ ବାରମ୍ବାର ମୁଣ୍ଡକୁ ଆକ୍ରମଣ କରିବାରୁ ଅର୍ଜୁନ ବାବାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ରକ୍ତମୁଖା ହୋଇପଡ଼ିଥିବା ଅଭିଯୁକ୍ତ ବିଷ୍ଣୁ ଆଉ ଜଣେ ବାବାଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଥିଲା। ଏହି ଘଟଣା ବିଷୟରେ ଆଶ୍ରମର ଅନ୍ତେବାସୀ ମାନେ ବାସେଳି ସାହି ଥାନାକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ସହ ଏସପି, ଅତିରିକ୍ତ ଏସପି ଓ ସିଟି ଡିଏସପି ପହଞ୍ଚି ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତକୁ ଥାନାରେ ଅଟକ ରଖିଛନ୍ତି। ଅଭିଯୁକ୍ତକୁ ପଚରାଉଚରା ପରେ ହତ୍ୟାକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କହିଛନ୍ତି ଅତିରିକ୍ତ ଏସପି।
0 Comments