ଭୁବନେଶ୍ୱର : ଗତକାଲି ସନ୍ଧ୍ୟାରେ ବିଜୁ ଜନତା ଦଳର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆଜି ଠାରୁ ଆରମ୍ଭ ହେଉଥିବା ବିଧାନସଭା ଅଧିବେସନରେ ଦଳର ରଣନୀତି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା ।
ବୈଠକରେ ଉଦ୍ବୋଧନ ଦେଇ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ବିଧାନ ସଭାର ମୌସୁମୀ ଅଧିବେସନ ସଂକ୍ଷିପ୍ତ ହେଲେ ମଧ୍ୟ ରାଜନୈତିକ ଦୃଷ୍ଟିରୁ ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ । ଗତ ସାଢେ ତିନି ମାସ ମଧ୍ୟରେ ମହିଳା ସୁରକ୍ଷା, ସାର ଯୋଗାଣ ଓ ଚାଷୀଙ୍କ ସ୍ୱାର୍ଥ ରକ୍ଷା, ରାଜ୍ୟ ସ୍ୱାର୍ଥର ସୁରକ୍ଷା ଆଦି ବିଭିନ୍ନ କ୍ଷେତ୍ରରେ ଦବଲ ଇଞ୍ଜିନ ସରକାରର ଅପାରଗତା ଓ ଉଦାସୀନତା ଜଳ ଜଳ ହୋଇ ଦିଶୁଛି । ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭୁସୁଡି ଯାଇଛି । ମହିଳା ମାନଙ୍କ ଉପରେ ଅତ୍ୟାଚାର ଜନିତ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ପ୍ରତିଦିନ ବଢି ଚାଲିଛି । ଏ ରାଜ୍ୟରେ ଏବେ କେହି ନିରାପଦ ନୁହନ୍ତି । ସେହିପରି ସାର ଯୋଗାଣ କ୍ଷେତ୍ରରେ ସୃଷ୍ଟି ହୋଇଥିବା ମାନବକୃତ ସଙ୍କଟ ଯୋଗୁଁ ଚାଷୀମାନେ ହଇରାଣ ହେଉଛନ୍ତି । ପଞ୍ଚାୟତି ରାଜ ବ୍ୟବସ୍ଥାରେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ରାଜନୈତିକ ସ୍ୱାର୍ଥ ସାଧନ ପାଇଁ ସମ୍ପୂର୍ଣ୍ଣ ନଷ୍ଟ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି । ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ଅପ୍ରାସଙ୍ଗୀକ କରିବା ପାଇଁ ରାଜ୍ୟ ସରକାର ଅଫିସରମାନଙ୍କ ଆର୍ଥୀକ କ୍ଷମତା ବୃଦ୍ଧି ପାଇଁ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାକୁ ଦୃଢ ବିରୋଧ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ଏତଦ୍ ବ୍ୟତୀତ ଓଡିଆ ଅସ୍ମିତାର ପ୍ରତୀକ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାରେ ହୋଇଥିବା ବିଶୃଙ୍ଖଳା ଓ ଦଳାଚକଟା ଘଟଣାରେ ମଧ୍ୟ ସରକାରଙ୍କୁ ଜବାବ ଦାବୀ କରାଯିବ ବୋଲି ସେ କହିଥିଲେ ।
ଶ୍ରୀ ପଟ୍ଟନାୟକ କହିଥିଲେ ଯେ କେବଳ ମିଛ ପ୍ରଚାର ବ୍ୟତୀତ ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଛି । ତେଣୁ ଚାଷୀ, ମହିଳା, ପଞ୍ଚାୟତି ରାଜ ବ୍ୟବସ୍ଥା ତଥା ଓଡିଆ ଅସ୍ମିତାର ସୁରକ୍ଷା ପାଇଁ ବିଜୁ ଜନତା ଦଳ ବିଧାନ ସଭାରେ କଠୋର ଆଭିମୁଖ୍ୟ ନେଇ କାମ କରିବ ବୋଲି ବିରୋଧୀ ଦଳ ନେତା କହିଥିଲେ ।
ବିଧାୟକ ଦଳର ଉପନେତା ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ବିରୋଧୀ ଦଳ ନେତାଙ୍କ ପରାମର୍ଶ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।
0 Comments