Header Ads Widget



BREAKING NEWS

6/recent/ticker-posts

ବିଜେଡିରେ ଯୋଗଦେଲେ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ।



ଭୁବନେଶ୍ୱର, ୨୫/୩:
ବିଜୁ ଜନତା ଦଳ ପାଇଁ ଆଜି ଏକ ବଡ଼ ସାଂଗଠନିକ ସଫଳତା ସାମ୍ନାକୁ ଆସିଛି। ବାଲେଶ୍ୱର ଜିଲ୍ଲାର ଦୁଇ ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଓ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ଆଜି ନବୀନ ନିବାସରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳରେ ଯୋଗଦେଇଛନ୍ତି।
ଉଭୟ ନେତାଙ୍କୁ ବିଜୁ ଜନତା ଦଳରେ ସ୍ୱାଗତ କରି ଦଳ ସଭାପତି ନବୀନ ପଟ୍ଟନାୟକ କହିଥିଲେ ଯେ, ଏହି ଦୁଇ ଅଭିଜ୍ଞ ନେତାଙ୍କ ଯୋଗଦାନରେ ବାଲେଶ୍ୱର ଜିଲ୍ଲାରେ ବିଜେଡି ଆହୁରି ମଜବୁତ ହେବ। ସେ ଜିଲ୍ଲାରେ ଦଳର ସାଂଗଠନିକ କାର୍ଯ୍ୟକୁ ଆହୁରି ବ୍ୟାପକ କରିବା ପାଇଁ ଉଭୟଙ୍କୁ ପରାମର୍ଶ ଦେଇଥିଲେ।
ବିଜେଡିରେ ସ୍ୱାଗତ ମିଳିଥିବାରୁ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଥିଲେ। ସେମାନେ କହିଥିଲେ ଯେ, ବାଲେଶ୍ୱର ଜିଲ୍ଲାର ଆଠୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ସହ ବଡ଼ସାହି ଅଞ୍ଚଳରେ ବିଜେଡିକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ସେମାନେ କାମ କରିବେ।
ଏହି ମିଶ୍ରଣ ପର୍ବରେ ବିଜେଡି ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକ, ବିଧାୟକ ପ୍ରତାପ କେଶରୀ ଦେବ, ଅଶ୍ୱିନୀ ପାତ୍ର, ଅରୁଣ ସାହୁ, ମାଧବ ଧଡା, ଗୌତମ ବୁଦ୍ଧ ଦାସ, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକ, ଜ୍ୟୋତିରଞ୍ଜନ ପାଣିଗ୍ରାହୀ, ପୂର୍ବତନ ବିଧାୟକ ସ୍ୱରୂପ ଦାସ, ସୁକାନ୍ତ ନାୟକ, ବରିଷ୍ଠ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଓ ଭୃଗୁ ବକ୍ସିପାତ୍ର ସହିତ ବାଲେଶ୍ୱର ଜିଲ୍ଲାର ବହୁ ନେତୃବୃନ୍ଦ ଓ ଶତାଧିକ କର୍ମୀ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ, ରଘୁନାଥ ମହାନ୍ତି ପୂର୍ବରୁ ବିଜେଡି ସରକାରରେ ଦୀର୍ଘଦିନ ଧରି ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ସେହିପରି ଜୀବନ ପ୍ରଦୀପ ଦାସ ନିକଟରେ ବିଜେପିରୁ ଇସ୍ତଫା ଦେଇଥିଲେ। ଉଭୟଙ୍କ ଯୋଗଦାନକୁ ବିଜେଡି ପାଇଁ ବାଲେଶ୍ୱର ଜିଲ୍ଲାରେ ଏକ ବଡ଼ ରାଜନୀତିକ ସଂଯୋଜନ ବୋଲି ଦେଖାଯାଉଛି।

Post a Comment

0 Comments