ନିମାପଡ଼ା : ଆଳୁ ଉତ୍ପାଦନର ସହଜ, ଲାଭଜନକ ଏବଂ ବୈଜ୍ଞାନିକ ପ୍ରଣାଳୀ ସମ୍ପର୍କରେ କୃଷକମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ନିମାପଡ଼ା ବ୍ଲକ୍ ଅନ୍ତର୍ଗତ ମୁଷୁନପୁର ଗାଁରେ ଏକ ବୃହତ୍ କୃଷକ କ୍ଷେତ୍ର ସଚେତନତା ଦିବସ ଆୟୋଜିତ ହୋଇଥିଲା। ଅନ୍ତର୍ଜାତୀୟ ଆଳୁ ଗବେଷଣା ଏବଂ ଉତ୍ପାଦନ କେନ୍ଦ୍ରର ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମକୁ ସ୍ୱାବଲମ୍ବୀ ନିମାପଡ଼ା କୃଷକ ଉତ୍ପାଦନ କମ୍ପାନୀ ତରଫରୁ ଆୟୋଜନ କରାଯାଇଥିଲା।
ଏହି କୃଷକ କ୍ଷେତ୍ର ଦିବସରେ ଉତ୍କଳ ବିପନ୍ନ ସହାୟତା ସମିତିର ମୁଖ୍ୟ କାର୍ଯ୍ୟକର୍ତ୍ତା ତଥା କୋଷାଧ୍ୟକ୍ଷ ନାରାୟଣ ଚୈଧୂରୀ, ଓଡିଶା ପଟାଟୋ ଗବେଷଣା ଏବଂ ଟିସୁ କଲଚର ଉତ୍ପାଦନ କେନ୍ଦ୍ରର ମୁଖ୍ୟ ତଥା ନିମାପଡ଼ା ସ୍ୱାବଲମ୍ବୀ କୃଷକ ଉତ୍ପାଦନ କମ୍ପାନୀର ସଭାପତି ବିଦ୍ୟାଧର ରାଉତ ଯୋଗଦେଇଥିଲେ।
କାର୍ଯ୍ୟକ୍ରମରେ ପ୍ରାୟ ୬ ଶହରୁ ଅଧିକ କୃଷକ, ମିଶନ ଶକ୍ତିର ମହିଳା କୃଷକ ଏବଂ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଯୋଗଦେଇ ରବି ଋତୁରେ ବିକଳ୍ପ ଆଳୁ ଚାଷ, କମ୍ ଖର୍ଚ୍ଚରେ ଅଧିକ ଉତ୍ପାଦନ, ଉନ୍ନତ ବିହନ ବ୍ୟବହାର, ସଠିକ୍ ସାର ପ୍ରୟୋଗ ଏବଂ ରୋଗ ନିୟନ୍ତ୍ରଣ ପ୍ରଣାଳୀ ସମ୍ପର୍କରେ ବିସ୍ତୃତ ତଥ୍ୟ ପାଇଥିଲେ।
ଏହି ଅବସରରେ ସୁଦୂର ଆଫ୍ରିକା ମହାଦେଶର ଜଣେ ଅନ୍ତର୍ଦେଶୀୟ ଆଳୁ ଗବେଷକ ଯୋଗଦେଇ ଭାରତ ସମଗ୍ର ବିଶ୍ୱରେ ଆଳୁ ଉତ୍ପାଦନରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାର ପ୍ରଶଂସା କରିଥିଲେ। ସେ ଓଡିଶା ତଥା ପୁରୀ ଜିଲ୍ଲାର ନିମାପଡ଼ା ଅଞ୍ଚଳର ଜଳବାୟୁ ଓ ମୃତ୍ତିକାକୁ ଆଳୁ ଉତ୍ପାଦନ ପାଇଁ ଅତ୍ୟନ୍ତ ଅନୁକୂଳ ବୋଲି ମତବ୍ୟକ୍ତ କରିଥିଲେ।
କୃଷକ କ୍ଷେତ୍ର ଦିବସର ମୁଖ୍ୟ ଆୟୋଜକ ତଥା ନିମାପଡ଼ା ବ୍ଲକର ଅଗ୍ରଣୀ କୃଷକ ସରୋଜ କୁମାର ପ୍ରତିହାରୀ ନିଜର ୨୦ ଡିସିମିଲ ଜମିରେ ଉନ୍ନତ ପ୍ରଣାଳୀରେ ଆଳୁ ଚାଷ କରି ଖେତ୍ର ପ୍ରଦର୍ଶନୀ ମାଧ୍ୟମରେ କୃଷକମାନଙ୍କୁ ସଫଳ ଉତ୍ପାଦନ ଓ ଲାଭ ବିଷୟରେ ସଚେତନ କରାଇଥିଲେ।
ସ୍ୱାବଲମ୍ବୀ ନିମାପଡ଼ା କୃଷକ ଉତ୍ପାଦନ କମ୍ପାନୀର ସମ୍ପାଦକ ସରୋଜ କୁମାର ସାହୁ କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୂଚନା ପ୍ରଦାନ କରି କୃଷକମାନଙ୍କୁ ଉନ୍ନତ ଆଳୁ ଚାଷ ପାଇଁ ଆଗାମୀ ଦିନରେ ସମସ୍ତ ପ୍ରକାର ସହଯୋଗ ଏବଂ ସହାୟତା ଯୋଗାଇଦିଆଯିବ ବୋଲି କହିଥିଲେ।


.jpg)
0 Comments