Header Ads Widget



BREAKING NEWS

6/recent/ticker-posts

ରାଜ୍ୟସଭା କ୍ରସ୍ ଭୋଟିଂ ଅଭିଯୋଗରେ ବିଜେଡିର ବଡ଼ ପଦକ୍ଷେପ, ୬ ବିଧାୟକ ସସ୍ପେଣ୍ଡ

ଭୁବନେଶ୍ୱର, ୨୧ ମାର୍ଚ୍ଚ: ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଅଭିଯୋଗକୁ ନେଇ ବିଜୁ ଜନତା ଦଳ (ବିଜେଡି) ବଡ଼ ଶାସନାତ୍ମକ ପଦକ୍ଷେପ ନେଇଛି। ଦଳବିରୋଧୀ କାର୍ଯ୍ୟକଳାପରେ ଜଡିତ ଥିବା ଅଭିଯୋଗରେ ବିଜେଡି ଏକାଥରେ ୬ ଜଣ ବିଧାୟକଙ୍କୁ ଦଳରୁ ସସ୍ପେଣ୍ଡ କରିଛି। ଏହି ସସ୍ପେନ୍ସନ୍ ତୁରନ୍ତ ପ୍ରଭାବରୁ ଲାଗୁ ହୋଇଥିବା କଥା ଶଙ୍ଖ ଭବନରୁ ଜାରି ହୋଇଥିବା ଅଫିସ ଅର୍ଡରରେ ଉଲ୍ଲେଖ ରହିଛି।
୨୧ ମାର୍ଚ୍ଚ ୨୦୨୬ ତାରିଖରେ ଜାରି ହୋଇଥିବା ଏହି ଅଫିସ ଅର୍ଡରରେ କୁହାଯାଇଛି ଯେ, ଚିଫ୍ ହ୍ୱିପ୍ ଦ୍ୱାରା ଜାରି ହୋଇଥିବା ଶୋ-କଜ୍ ନୋଟିସ୍, ସମ୍ପୃକ୍ତ ବିଧାୟକମାନଙ୍କ ଉତ୍ତର ଏବଂ ବିଜେଡି ଡିସିପ୍ଲିନାରୀ କମିଟିର ଯାଞ୍ଚ ପରେ, ବିଜେଡିର ପଲିଟିକାଲ ଅଫେୟର୍ସ କମିଟି (PAC) ନେଇଥିବା ସିଦ୍ଧାନ୍ତ ଆଧାରରେ ଏହି ପଦକ୍ଷେପ ନିଆଯାଇଛି। ଦଳର ଅଭିଯୋଗ ଅନୁସାରେ, ଏହି ବିଧାୟକମାନେ ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରି ଦଳୀୟ ନିଷ୍ପତ୍ତିକୁ ଅମାନ୍ୟ କରିଛନ୍ତି।
ଅଫିସ ଅର୍ଡରରେ ଆହୁରି କୁହାଯାଇଛି ଯେ, ଏହି କାର୍ଯ୍ୟ ବିଜେଡି ସଂବିଧାନର ମୂଳ ଆଦର୍ଶ, ଅର୍ଥାତ୍ ଦଳର ସମୂହୀୟ ନିଷ୍ପତ୍ତି ପ୍ରତି ସମ୍ପୂର୍ଣ୍ଣ ନିଷ୍ଠାର ଉଲ୍ଲଂଘନ। ଏହି ପରିପ୍ରେକ୍ଷୀରେ ଦଳ ଶୃଙ୍ଖଳା ଭଙ୍ଗକୁ ଗୁରୁତର ଭାବେ ନେଇ କଠୋର ପଦକ୍ଷେପ ଗ୍ରହଣ କରିଥିବା ବୋଲି ରାଜନୀତିକ ମହଳରେ ଚର୍ଚ୍ଚା ହେଉଛି।
ସସ୍ପେଣ୍ଡ ହୋଇଥିବା ୬ ଜଣ ବିଧାୟକ ହେଲେ— ବାଲିଗୁଡ଼ାର ବିଧାୟକ ଚକ୍ରମଣି କହଁର, ଜୟଦେବର ବିଧାୟକ ନବ କିଶୋର ମଲ୍ଲିକ, ଚୌଦ୍ୱାର-କଟକର ବିଧାୟକ ସୌଭିକ ବିଶ୍ୱାଳ, ବସ୍ତାର ବିଧାୟକ ସୁବାସିନୀ ଜେନା, ତିର୍ତ୍ତୋଲର ବିଧାୟକ ରମାକାନ୍ତ ଭୋଇ ଏବଂ ବାଙ୍କୀର ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ।
ଏହି ସସ୍ପେନ୍ସନ୍ ପରେ ବିଜେଡି ଭିତରେ ଶୃଙ୍ଖଳା ନେଇ ଆଉ କଠୋର ମନୋଭାବ ଗ୍ରହଣ କରାଯାଇଥିବା ସ୍ପଷ୍ଟ ହୋଇଛି। ଦଳୀୟ ମହଳରେ ଏବେ ପ୍ରଶ୍ନ ଉଠୁଛି ଯେ, ଏହି ପଦକ୍ଷେପ କେବଳ ସସ୍ପେନ୍ସନ୍‌ରେ ସୀମିତ ରହିବ କି, ନା ଆଗକୁ ଆଉ ବଡ଼ ଶାସନାତ୍ମକ କାର୍ଯ୍ୟାନୁଷ୍ଠାନ ହେବ। ରାଜ୍ୟ ରାଜନୀତିରେ ଏହି ଘଟଣା ନୂଆ ଚର୍ଚ୍ଚା କୁ ଖୋରାକ ଯୋଗାଇଛି।

Post a Comment

0 Comments