Header Ads Widget



BREAKING NEWS

6/recent/ticker-posts

ମାର୍ଚ୍ଚ ୨୫ରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ରତ୍ନ ଅଳଙ୍କାର ଗଣତି-ମଣତି ଆରମ୍ଭଶୁଭ ମୁହୂର୍ତ୍ତରେ ରତ୍ନଭଣ୍ଡାରକୁ ପ୍ରବେଶ କରିବେ ସଦସ୍ୟମାନେ; ଏସଓପି ଅନୁଯାୟୀ ଚାଲିବ ପ୍ରକ୍ରିୟା।

ପୁରୀ, (ବ୍ୟୁରୋ): ଆସନ୍ତା ମାର୍ଚ୍ଚ ୨୫ ତାରିଖରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ରହିଥିବା ମହାପ୍ରଭୁଙ୍କ ରତ୍ନ ଅଳଙ୍କାରର ଗଣତି-ମଣତି ପ୍ରକ୍ରିୟା ଆରମ୍ଭ ହେବ। ଏହି ଦିନ ଦିନ ୧୨ଟା ୯ ମିନିଟ୍ ଠାରୁ ୧ଟା ୪୫ ମିନିଟ୍ ପର୍ଯ୍ୟନ୍ତ ଶୁଭ ମୁହୂର୍ତ୍ତ ନିର୍ଦ୍ଧାରିତ ହୋଇଥିବାରୁ, ଏହି ସମୟସୀମା ମଧ୍ୟରେ ଗଣତି-ମଣତି କାର୍ଯ୍ୟରେ ସାମିଲ ହେବାକୁ ଥିବା ସଦସ୍ୟମାନେ ରତ୍ନଭଣ୍ଡାରକୁ ପ୍ରବେଶ କରିବେ।
ଆଜି ପୁରୀ ଗସ୍ତରେ ଆସିଥିବା ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରଥମେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ କରି ରତ୍ନ ଅଳଙ୍କାର ଗଣତି-ମଣତି ପ୍ରକ୍ରିୟାକୁ ନେଇ ଆଲୋଚନା କରିଥିଲେ। ଏହି କାର୍ଯ୍ୟ ସୁରୁଖୁରୁରେ ଅନୁଷ୍ଠିତ ହେଉ ବୋଲି ସେ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଥିବା କହିଛନ୍ତି।
ସମୀକ୍ଷା ବୈଠକରେ ଆଗାମୀ ଦିନରେ କିଭଳି ସୁଚାରୁ ଭାବେ ରତ୍ନ ଅଳଙ୍କାରର ଗଣତି-ମଣତି କାର୍ଯ୍ୟ ସମ୍ପନ୍ନ ହେବ, ସେନେଇ ପ୍ରକ୍ରିୟାରେ ସାମିଲ ହେବାକୁ ଥିବା ସମସ୍ତ ଅଧିକାରୀ ଓ ପ୍ରାଧିକୃତ ସେବାୟତମାନଙ୍କୁ ଆଇନମନ୍ତ୍ରୀ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ, ରାଜ୍ୟ ସରକାରଙ୍କ ଏସଓପି ଅନୁଯାୟୀ ଗଣତି-ମଣତି କାର୍ଯ୍ୟ କରାଯିବ।
ଆଇନମନ୍ତ୍ରୀ ଆହୁରି କହିଛନ୍ତି ଯେ, ମହାପ୍ରଭୁଙ୍କ ନୀତିକାନ୍ତି ଓ ଶ୍ରଦ୍ଧାଳୁଙ୍କ ଦର୍ଶନ ଯେପରି ବାଧାପ୍ରାପ୍ତ ନହୋଇ, ସେଥିପାଇଁ ବିଶେଷ ସତର୍କତା ସହ କାର୍ଯ୍ୟ ଆଗେଇ ନିଆଯିବ। ତେବେ ନିର୍ଦ୍ଦିଷ୍ଟ କେତେ ଦିନ ମଧ୍ୟରେ ଗଣତି-ମଣତି କାର୍ଯ୍ୟ ଶେଷ ହେବ, ସେନେଇ ଏବେ କିଛି କହିବା ସମ୍ଭବ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଏହି ଗଣତି-ମଣତି ପ୍ରକ୍ରିୟାରେ ଆରବିଆଇ ଅଧିକାରୀ, ସ୍ୱର୍ଣ୍ଣକାର ଓ ରତ୍ନପଥର ବିଶେଷଜ୍ଞମାନେ ଉପସ୍ଥିତ ରହିବେ। ସମସ୍ତ ରତ୍ନ ଅଳଙ୍କାରକୁ ଚିହ୍ନଟ କରାଯାଇ, ସେଗୁଡ଼ିକର ନାମକରଣ କରି ସୁରକ୍ଷିତ ଭାବେ ସଂରକ୍ଷଣ କରାଯିବ। ସେହିପରି, ପ୍ରତ୍ୟେକ ରତ୍ନ ଅଳଙ୍କାରର ଡିଜିଟାଲ ଫଟୋଗ୍ରାଫି ମଧ୍ୟ କରାଯିବ ବୋଲି ଜଣାପଡ଼ିଛି।
ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ରତ୍ନ ଅଳଙ୍କାରର ସୁରକ୍ଷା ନିଶ୍ଚିତ କରିବା ଲକ୍ଷ୍ୟରେ, କୌଣସି ସମସ୍ୟା କିମ୍ବା ବିପଦ ନ ସୃଷ୍ଟି ହେବାକୁ ଦୃଷ୍ଟିରେ ରଖି ସମସ୍ତ ତଥ୍ୟ ଓ ସୁରକ୍ଷା ପଦକ୍ଷେପ ସହିତ ବ୍ୟାପକ ରେକର୍ଡ ସଂରକ୍ଷିତ ରଖାଯିବ। ଯାହାଫଳରେ ଆଗାମୀ ଦିନରେ ପୁନର୍ବାର ଗଣତି-ମଣତି ହେବା ସମୟରେ ସମଗ୍ର ପ୍ରକ୍ରିୟା ସହଜ ଓ ସୁବିଧାଜନକ ହେବ।

Post a Comment

0 Comments