ପୁରୀ ; ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ । ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପୁରୀ ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା । ଏଥିପାଇଁ ପୁରୀ ଜିଲ୍ଲାର ୬ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୧୩୪ କୋଟି ଟଙ୍କା ଏବଂ ଏଥିରେ ୪୧୩୦ଟି ପ୍ରକଳ୍ପ ହେବ।
ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର, ପ୍ରତି ପୂଜାସ୍ଥଳୀର ବିକାଶ ଜରିଆରେ, ଓଡିଶାର ସଂସ୍କୃତିର ମୂଳ ଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ମଧ୍ୟ ବିକାଶ କରାଯିବ। ଏକ ଆକାଂକ୍ଷୀ ଓଡିଶା ଗଠନ ପାଇଁ ଏହା ହେବ ମୂଳ ଭିତ୍ତି । ଆମର ସୁଦୃଢ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗ୍ବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡିଶା ତାର ଡେଣାକୁ ଆହୁରି ପ୍ରସାରିତ କରି ନୂଆ ଶିଖରରେ ପହଞ୍ଚିବ ଏବଂ ଆମେ ଗଢିବା ନୂଆ ଓଡିଶା ନବୀନ ଓଡିଶା ।
ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଏହି ଯୋଜନାରେ ସଂସ୍କୃତି ସହିତ ଆଧୁନିକତାର ହେବ ସମନ୍ବୟ। ଏହି ସମନ୍ବୟରେ ଗାଁ ଗାଁ ରେ ଆସିବ ସମୃଦ୍ଧି। ଏହି ହେଉଛି ଏକବିଂଶ ଶତାଦ୍ଦୀର ଓଡିଶା ପାଇଁ ଆମର ସଂକଳ୍ପ। ଓଡିଶା ହେଉଛି ଜଗନ୍ନାଥଙ୍କ ଭୂମି । ବିଶ୍ବ ପ୍ରେମ, ଶାନ୍ତି, ସଦ୍ଭାବ, ସମାନତା ଓ ସେବା ହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତ୍ତା । ଜାତି, ଧର୍ମ, ସଂପ୍ରଦାୟ ନିର୍ବିଶେଷରେ ଏହା ସମସ୍ତଙ୍କୁ ନିଜର କରିପାରିଛି । ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପ୍ରତି ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରାଯିବ। ପ୍ରତି ପୂଜାସ୍ଥଳୀର ବିକାଶ କରାଯିବ। ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ କରାଯିବ। ଆମର ଭବିଷ୍ୟତ ବଂଶଧର ମାନଙ୍କ ନିମନ୍ତେ ଏସବୁ ସଂସ୍କୃତି ଓ ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ ଓ ସୁରକ୍ଷା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗାଁ ରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ । ଗାଁ ରେ ଇଣ୍ଟରନେଟ୍ ସଂଯୋଗ ମିଳିବ । ବିଜ୍ଞାନ ପାର୍କ ହେବ । ଦକ୍ଷତା ବିକାଶ କେନ୍ଦ୍ର ହେବ । Works hub ହେବ । Banking ସୁବିଧା ମିଳିବ। ଏହି କାର୍ଯ୍ୟକ୍ରମରେ ଗାଁର primary school ଗୁଡିକ ମଧ୍ୟ ସାମିଲ ହେବ। ଏହା ଆମର ଯୁବ ସମାଜ ପାଇଁ, ମା ମାନଙ୍କ ପାଇଁ, ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ଓ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅମାପ ସୁଯୋଗ ଆଣିବ ଏବଂ ଏକ ଆଧୁନିକ, ସଶକ୍ତ, ପ୍ରଗତିଶୀଳ ତଥା ସଂସ୍କୃତି ସଚେତନ ରାଜ୍ୟ ଭାବେ ଓଡିଶାର ପରିଚୟକୁ ଆହୁରି ଉଜ୍ଜଳ କରିବ। ଏହି ନୂଆ ଓଡିଶାରେ ଆମର ଭିତ୍ତିଭୂମି ହେବ ସୁଦୃଢ ଓ ଡେଣା ହେବ ଶକ୍ତ ଏବଂ ଆକାଂକ୍ଷୀ ଓଡିଶା ପରିକଳ୍ପନା ପାଇବ ସାକାର ରୂପ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସଫଳ ରୂପାୟନରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ।
ପୁରୀର ୬ଟି ନିର୍ବାଚନମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ବିପୁଳ ଜନସମାଗମ ହୋଇଥିଲା। ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପୁରୀର ୬ଟି ନିର୍ବାଚନ ମଣ୍ଡଳୀର ୨୬୮ଟି ଗ୍ରାମ ପଞ୍ଚାୟତର ୪୧୩୦ଟି ପ୍ରକଳ୍ପ ପାଇଁ ୧୩୪ କୋଟି ଟଙ୍କା ମଞ୍ଜୁର କରାଯାଇଥିଲା।5T ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମନ୍ତ୍ରୀ ଶ୍ରୀ ତୃଷାରକାନ୍ତି ବେହେରା, ବିଧାୟକ ଶ୍ରୀ ସମୀର ରଞ୍ଜନ ଦାଶ, ବିଧାୟକ ଶ୍ରୀ ରୁଦ୍ରପ୍ରତାପ ମହାରଥୀ, ବିଧାୟକ ଶ୍ରୀ ଉମାକାନ୍ତ ସାମନ୍ତରାୟ, ଜିଲ୍ଲାପରିଷଦ ସଭାପତି, ସଦସ୍ୟଗଣ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଆଭାସୀ ମାଧ୍ୟମରେ ଆଲୋଚନାରେ ଭାଗ ନେଇ ଗାଁ ଗାଁ ରେ ବିକାଶର ନୂଆ ଯୁଗ ଆସିଛି ବୋଲି ମତପ୍ରକାଶ କରିଥିଲେ । 5T ସଚିବଙ୍କ ଗସ୍ତ ଯୋଗୁ ଜିଲ୍ଲାସ୍ତରରେ ବିକାଶ ତ୍ବରାନ୍ବିତ ହେବା ସହିତ ଅନେକ ଦିନରୁ ପଡି ରହିଥିବା ସମସ୍ୟା ଗୁଡିକ ମଧ୍ୟ ଦୂର ହୋଇଛି ବୋଲି ସେମାନେ କହିଥିଲେ । ପିପିଲି ରେ ବିଦ୍ୟୁତ ସମସ୍ୟା ସମାଧାନ କରିଥିବା ଓ ଡେଲାଙ୍ଗ ରେ ମେଗା ପାନୀୟ ଜଳ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ସହଯୋଗ ପାଇଁ ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ମୁଖ୍ୟମନ୍ତ୍ରୀ ବିଭିନ୍ନ ଅଞ୍ଚଳ ପାଇଁ ଯେଉଁ ଯେଉଁ ପ୍ରକଳ୍ପ ସବୁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି, ସେ ସଂପର୍କରେ ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ। ଆମ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମରେ ଲୋକଙ୍କ ପ୍ରସ୍ତାବିତ ପ୍ରକଳ୍ପ ଓ ଆବଶ୍ୟକତାକୁ ଦେଖି ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିଛନ୍ତି । ଶ୍ରୀ ପାଣ୍ଡିଆନ ସୂଚନା ଦେଇ କହିଥିଲେ ଯେ ପୁରୀ ଜିଲ୍ଲାର ୧୦ଟି ମନ୍ଦିର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ୧୪ କୋଟି ୩୬ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏହା ହେଲା ବ୍ରହ୍ମଗିରି ଅଞ୍ଚଳର ଭାବକୁଣ୍ଡଳେଶ୍ବର ମନ୍ଦିର ପାଇଁ ୧.୩ କୋଟି, କମଳେଶ୍ବର ଦେବ ମନ୍ଦିର ପାଇଁ ୧.୯୮ କୋଟି, ନିମାପଡା ଜଟେଶ୍ବର ଦେବ ମନ୍ଦିର ପାଇଁ ୧.୪୬ କୋଟି, ସୋମନାଥ ମନ୍ଦିର ପାଇଁ ୧.୪୫ କୋଟି, ଅମରେଶ୍ବର ମନ୍ଦିର ପାଇଁ ୧.୪୪ କୋଟି, ପିପିଲି ଅଞ୍ଚଳରେ କୁରୁକ୍ଷେଶ୍ବର ମନ୍ଦିର ପାଇଁ ୧ କୋଟି, ଅରଗଡ ବୌଦ୍ଧପୀଠ ପାଇଁ ୧ କୋଟି, ଗୋପୀନାଥ ମନ୍ଦିର ପାଇଁ ୩ କୋଟି, ସତ୍ୟବାଦୀର ବରାଳ ବାଲୁଙ୍କେଶ୍ବର ମନ୍ଦିର ପାଇଁ ୮୮ ଲକ୍ଷ ଓ ତୃତୀୟ ଦେବ ମନ୍ଦିର ପାଇଁ ୮୫ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି। କାର୍ଯ୍ୟକ୍ରମରେ ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ ରୂପାନ୍ତର କାର୍ଯ୍ୟକ୍ରମର ଭିଡିଓ ଚିତ୍ର ପ୍ରଦର୍ଶନ କରାଯାଇଥିଲା। ଏହି ରୂପାନ୍ତର ନବୀନ ଓଡିଶାର ଗୋଟିଏ ଗୋଟିଏ ନମୁନା ବୋଲି 5T ସଚିବ ମତ ଦେଇଥିଲେ। ଏହାକୁ ସମସ୍ତେ ସ୍ବଚ୍ଛତାର ସହ ଓ ଠିକ୍ ସମୟରେ ଶେଷ କରିବାକୁ ସେ ପରାମର୍ଶ ଦେଇଥିଲେ। ପିପିଲି ବ୍ଲକ ଦାଣ୍ଡ ମକୁନ୍ଦପୁର ବାଲି ପଡ଼ିଆ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ପୁରୀ ଏଡିଏମ ପ୍ରଦୀପ ସାହୁ, ପିପିଲି ବ୍ଲକ ବିଡ଼ିଓ ରଶ୍ମିତା ନାଥ, ତହସିଲଦାର ପୁନମ ମହାପାତ୍ର, ବ୍ଲକ ଅଧ୍ୟକ୍ଷ ଦେଵସ୍ବିନୀ ନନ୍ଦ, ଉପାଧ୍ୟକ୍ଷ ପ୍ରଫୁଲ୍ଲ ସ୍ବାଇଁ, ଜିଲ୍ଲା ପରିଷଦ ସଭ୍ୟ ଧରଣୀଧର ସାହୁ,ସାଂସଦ ପ୍ରତିନିଧି ନାରାୟଣ ସ୍ବାଇଁ, ପୁରୀ ନିମାପଡ଼ା କେନ୍ଦ୍ର ସମବାୟ ସମିତି ସଭାପତି କିଶୋର ଚନ୍ଦ୍ର ଛୋଟରାୟ, ପୂର୍ବତନ ଜିଲ୍ଲା ପରିଷଡ଼ ସଭ୍ୟ ଦେବାଶିଷ ନନ୍ଦ ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ବେଳେ ହଜାର ହଜାର ସଂଖ୍ୟାରେ ଲୋକ ଉପସ୍ଥିତ ଥିଲେ
0 Comments