ବିଜୁ ଜନତା ଦଳ ସଭାପତି ତଥା ବିରୋଧିଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆଜି ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳ ଉପସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମାଙ୍କ ନେତୃତ୍ୱରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କୃଷ୍ଣପ୍ରସାଦ ଓ ବ୍ରହ୍ମଗିରି ଏବଂ ପୁରୀ ସଦର ବ୍ଲକରେ ଶାନ୍ତିପୂର୍ଣ୍ଣ ଭାବେ ହରତାଳ କରାଯାଇଛି।
ପୁରୀ ଜିଲ୍ଲା ବଳଙ୍ଗା ପୀଡ଼ିତା ସମିଦା ଖାତୁନ୍ ଙ୍କୁ ନ୍ୟାୟ ପ୍ରତିବାଦରେ ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଗୋରୁଆଳ ଛକ, କାଠୁଆରେଡ଼ି ଛକ, ସିନେମା ହଲ୍ ଛକ, ଗୋପ ଛକ, ଢ଼ାବା ଛକ, ସୁନାମୁହିଁ ଛକ ଏବଂ ଖଜୁରିଆ ଛକ, କୃଷ୍ଣପ୍ରସାଦ ବ୍ଲକ ୭ ପଞ୍ଚାୟତର ଦହିଖିଆ ଛକ ଏବଂ ପୁରୀ ସଦର ବ୍ଲକ ୧୧ ଗୋଟି ପଞ୍ଚାୟତର ଭାଇଲପୁର ଛକ ଠାରେ ସକାଳ ୬ ଘଟିକା ରୁ ମଧ୍ୟାହ୍ନ ୧୨ ଘଟିକା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ହରତାଳ କରାଯାଇଛି ।
ବ୍ରହ୍ମଗିରି ଗୋପ ଛକ ଠାରେ ଶ୍ରୀ ଦାସବର୍ମା ଉପସ୍ଥିତ ରହି ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇ କହିଛନ୍ତି ରାଜ୍ୟରେ ନାରୀ ଓ ଛାତ୍ରୀ ନିର୍ଯାତନା ଅପରାଧ ଦିନକୁ ଦିନ ବଢିବାରେ ଲାଗିଛି। ନିକଟରେ ଗୋପାଳପୁର ବେଳାଭୂମିରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ବାଲେଶ୍ୱର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ସୈାମ୍ୟାଶ୍ରୀଙ୍କ ଆତ୍ମଦାହ କରିବା ଘଟଣା, ବଳଙ୍ଗା ନାବାଳିକା କୁ ଜିଅନ୍ତା ଜାଳିଦେବା ଘଟଣା ନାରୀ ନିର୍ଯାତନାର ଜ୍ୱଳନ୍ତ ଉଦାହରଣ। ଏଣୁ ସମସ୍ତ ଘଟଣାର ନିରପେକ୍ଷ ଓ ଏକ ନ୍ୟାୟିକ ତଦନ୍ତ କରାଯାଇ ପୀଡ଼ିତା ଙ୍କୁ ନ୍ୟାୟ ପ୍ରଦାନ କରାଯିବା ସହିତ ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ଦାବୀ କରିଛନ୍ତି।
ଡ଼ବଲ ଇଞ୍ଜିନ ବିଜେପି ସରକାର ଏକ ବର୍ଷ ତିନି ମାସ ଭିତରେ ଶିକ୍ଷା ଠାରୁ ସ୍ଵାସ୍ଥ୍ୟ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଚରମ ବିଫଳତା ହାସଲ କରିଛି। ଓଡ଼ିଶା ର ଚାଷୀକୁଳ ସରକାରୀ ବ୍ୟବସ୍ଥାରେ ଧାନ ମଣ୍ଡିରେ ଧାନ ବିକ୍ରି କରିନପାରି ଆଜି ବଡ଼ଦାଣ୍ଡ ରେ, ମହିଳା ନିର୍ଯାତନା ଓ ଛାତ୍ରୀ ଙ୍କୁ ଦୁଷ୍କର୍ମ ଆଜି ରାଜ୍ୟର ନିତିଦିନିଆ ଘଟଣା ପାଲଟିଛି, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଓଡ଼ିଶାର ପରିଚୟ କୁ ସର୍ବଭାରତୀୟ ସ୍ତରରେ ନିନ୍ଦିତ କରିଛି। ରାଜ୍ୟରେ ବିକାଶ ପ୍ରକିୟା ସମ୍ପୁର୍ଣ୍ଣ ଠପ୍ ହୋଇଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ରାଜ୍ୟରେ ଗଢ଼ି ଉଠିଥିବା ବିଭିନ୍ନ ଭିତିଭୂମି ଯଥା ସ୍କୁଲ, କଲେଜ, ମେଡ଼ିକାଲ କଲେଜ, ନୂତନ ପାଣି ଟାଙ୍କି, ବିଭିନ୍ନ ସରକାରୀ କାର୍ଯ୍ୟାଳୟ କୁ ମୋହନ ସରକାର କେବଳ ରଙ୍ଗ ବଦଳେଇବାରେ ବ୍ୟସ୍ତ।
ଆଗାମୀ ଦିନରେ ଓଡ଼ିଶାକୁ ଏକ ବିକଶିତ ଏବଂ ଆତ୍ମ ନିର୍ଭର କରି ଗଢିତୋଳିବା ରେ ନୂତନ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି ବିଜୁ ଜନତା ଦଳର ଉପସଭାପତି ଶ୍ରୀ ଦାସବର୍ମା ମତପ୍ରକାଶ କରିଛନ୍ତି।
ଏହି ଶାନ୍ତିପୂର୍ଣ୍ଣ ହରତାଳରେ ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ବିଦ୍ୟାଧର ସ୍ଵାଇଁ, ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷା ରତ୍ନବାଳା ବେହେରା, ଉପାଧ୍ୟକ୍ଷା ମାଳିନୀ ଦଳାଇ, ଜିଲ୍ଲା ପରିଷଦ ସଦସ୍ୟ ଜମ୍ବେଶ୍ଵର ସାହୁ, ବରିଷ୍ଠ ନେତା ଭଗବାନ ନାୟକ, ପ୍ରଫୁଲ୍ଲ ଜେନା, ସୁର ପ୍ରସାଦ ମହାନ୍ତି, ପୂର୍ବତନ ବ୍ଲକ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ରାୟ, ଯୁଧିଷ୍ଠିର ନାୟକ, ଆଇନଜୀବି ଭାସ୍କର ଜେନା, ଯୁବ ନେତୃତ୍ବ ନନ୍ଦ କିଶୋର ବିଶ୍ୱାଳ, ସର୍ବେଶ୍ଵର ପଲାଇ, ବିଜୟ କୁମାର ଦଳେଇ, ଜୟନ୍ତ କୁମାର ମାହାନ୍ତି, ମହିଳା ନେତ୍ରୀ ମାନସୀ ହରିଚନ୍ଦନ, ସସ୍ମିତା ସାହୁ, ପ୍ରତିମା ଜେନା, ଶକୁନ୍ତଳା ମିଶ୍ର, ଏବଂ କୃଷ୍ଣ ପ୍ରସାଦ ବ୍ଲକ ଦହିଖିଆ ଛକ ଠାରେ ଜିଲ୍ଲା ପରିଷଦ ସଦସ୍ୟ ସନ୍ଦିପ ଜେନା, ମାଣିକା ପଞ୍ଚାୟତ ସମିତି ସଭ୍ୟ ସର୍ବେଶ୍ଵର ଜେନା ଏବଂ ଯୁବ ନେତା ଜ୍ଞାନ ଚନ୍ଦ୍ର ପ୍ରଧାନ, ଅନିଲ ସାହୁ, ଏବଂ ପୁରୀ ସଦର ବ୍ଲକ ଭାଇଲିପୁର ଛକ ଠାରେ ଭାଇଲପୁର ସମିତି ସଭ୍ୟ କାର୍ତ୍ତବୀର୍ଯ୍ୟ ସ୍ଵାଇଁ, ଜିଲ୍ଲା ପରିଷଦ ସଦସ୍ୟାଙ୍କ ପ୍ରତିନିଧି ନୁନୁ ମିଶ୍ର, ସଦର ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ନିରଞ୍ଜନ ପରିଡ଼ା, ଗୈାଡକେରା ସରପଞ୍ଚ ରମେଶ ଚନ୍ଦ୍ର ପ୍ରଧାନ, ହନ୍ତୁକ ସରପଞ୍ଚଙ୍କ ପ୍ରତିନିଧି ନରସିଂହ ପତୀ, କହ୍ନେଇ ବିଦ୍ୟାଧରପୁର ପଞ୍ଚାୟତ ସମିତି ସଭ୍ୟାଙ୍କ ପ୍ରତିନିଧି ଆଲୋକ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଶାନ୍ତିପୂର୍ଣ୍ଣ ହରତାଳୁ ସଫଳ କରିଛନ୍ତି।
0 Comments