Header Ads Widget



BREAKING NEWS

6/recent/ticker-posts

ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ମାଧ୍ୟମ ରେ ରାଜ୍ୟ ବିଜେପି ସରକାରଙ୍କ ବିଫଳତାକୁ ଲୋକଙ୍କପାଖରେ ରଖିବ ବିଜେଡି ।

    

ଭୁବନେଶ୍ୱର, : ଚଳିତ ବର୍ଷ ଅକ୍ଟୋବର ୨ ତାରିଖରେ ଗାନ୍ଧୀ ଜୟନ୍ତୀ ଓ ସାର୍ବଜନୀନ ଦଶହରା ପଡୁଥିବାରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ବିଜୁ ଜନତା ଦଳ ତରଫରୁ ଜନସମ୍ପର୍କ ପଦଯାତ୍ରା ପାଇଁ ସଂକଳ୍ପ ନିଆଯିବ । ଏହାପରେ ଅକ୍ଟୋବର ୯ ତାରିଖ ଗୋପବନ୍ଧୁ ଜୟନ୍ତୀରୁ ପଦଯାତ୍ରା କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇ ନଭେମ୍ୱର ୯ ତାରିଖ ପର୍ଯ୍ୟନ୍ତ ଏକ ମାସ ଧରି ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ଦଳ ତରଫରୁ ଆଜି ସୂଚନା ଦିଆଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କ ସହିତ ସମ୍ପର୍କ ସ୍ଥାପନ ସହିତ ଗତ ୧୫ ମାସର ବିଜେପି ସରକାରଙ୍କ ବିଫଳତାକୁ ରାଜ୍ୟବାସୀଙ୍କ ପାଖରେ ପହଞ୍ଚାଯିବ ବୋଲି ଦଳ ତରଫରୁ ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ କୁହାଯାଇଛି ।
ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର ଓ ଦଳର ଉପସଭାପତି ତଥା ବିରୋଧୀ ଦଳର ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ଦଳର ପଦଯାତ୍ରା କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେବା ସହିତ ରାଜ୍ୟରେ ବିଜେପି ସରକାରଙ୍କ ବିଫଳତାକୁ ବଖାଣିଥିଲେ । ଶ୍ରୀ ମିଶ୍ର କହିଥିଲେ, ପବିତ୍ର ଗାନ୍ଧୀ ଜୟନ୍ତୀ ଦିନ ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ପାଇଁ ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ପଦଯାତ୍ରା କାର୍ଯ୍ୟକ୍ରମ ପାଇଁ ସଙ୍କଳ୍ପ ନିଆଯିବ । ଏହାପରେ ଅକ୍ଟୋବର ୯ ତାରିଖ ଗୋପବନ୍ଧୁ ଜୟନ୍ତୀରୁ ପଦଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ ହୋଇ ନଭେମ୍ବର ୯ ତାରିଖ ପର୍ଯ୍ୟନ୍ତ ଏହି ପଦଯାତ୍ରା କାର୍ଯ୍ୟକ୍ରମ ଜାରି ରହିବ । ଏହି ପଦଯାତ୍ରା ସମୟରେ ବିଜେପି ସରକାରଙ୍କ ବିଫଳତାକୁ ଲୋକଙ୍କ ସାମ୍ନାରେ ଉପସ୍ଥାପନ କରାଯିବ । 
ଶ୍ରୀମତୀ ପ୍ରମିଳା ମଲ୍ଲିକ କହିଥିଲେ, ବିଜେପି ଅନେକ ମିଥ୍ୟା ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛି । କିନ୍ତୁ, କ୍ଷମତାକୁ ଆସିବା ପରେ ବିଜେପି ସରକାରଙ୍କ କାର୍ଯ୍ୟକଳାପ ଦେଖି ରାଜ୍ୟବାସୀ ଅତିଷ୍ଠ ହେଲେଣି । ଗତ ୧୫ ମାସର ବିଜେପି ଶାସନରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି ଓ ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ହୋଇ ପଡିଛନ୍ତି । ରାଜ୍ୟବାସୀଙ୍କ ପାଇଁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନବୀନ ପଟ୍ଟନାୟକଙ୍କ ସମୟରେ ଆରମ୍ଭ କରାଯାଇଥିବା ବିଏସକେୱାଇ ବହୁତ ଉପକାରୀ ହୋଇଥିଲା ବେଳେ ବିଜେପି ସରକାରଙ୍କ ଦ୍ୱାରା ଆୟୁଷ୍ମାନ ଯୋଜନା ଆସିବା ପରେ ଲୋକମାନେ ସ୍ୱାସ୍ଥ୍ୟସେବା ପାଇବା ପାଇଁ ହନ୍ତସନ୍ତ ହେଉଛନ୍ତି । ମଦମୁକ୍ତ ଓ ନିଶାମୁକ୍ତ ଓଡିଶା ଗଠନ ପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେ, ବିଜେପି ସରକାର ଏବେ ୭୦ଟି ନୂଆ ମଦ ଦୋକାନ ଓ ଦୁଇଟି ମଦ କାରଖାନା ଖୋଲୁଛନ୍ତି । ସାର ଅଭାବରୁ ରାଜ୍ୟରେ ଚାଷୀ ଆଜି ରାଜରାସ୍ତାରେ ଛିଡା ହୋଇଛନ୍ତି । ପଞ୍ଚାୟତ ସ୍ତରରେ ନିର୍ବାଚିତ ପ୍ରତିନିଧି ମାନଙ୍କ କ୍ଷମତାକୁ ସଙ୍କୁଚିତ କରି ସରକାର ଗଣତନ୍ତ୍ରକୁ ହତ୍ୟା କରିଛନ୍ତି । ତେଣୁ, ଏହି ସବୁ ପ୍ରସଙ୍ଗକୁ ନେଇ ବିଜେଡି ରାଜ୍ୟ ବିଜେପି ସରକାରଙ୍କୁ ପଦଯାତ୍ରା ମାଧ୍ୟମରେ ଘେରିବ ।

Post a Comment

0 Comments