ଭୁବନେଶ୍ୱର, : ନୂଆପଡ଼ା ଉପନିର୍ବାଚନରେ ସରକାରୀ ସମ୍ପତ୍ତିର ଦୂରୁପଯୋଗ କରିବାକୁ ପଛାଇ ନାହିଁ ବିଜେପି । ଆଦର୍ଶ ଆଚରଣ ବିଧିକୁ ଖାତିର କରୁନାହିଁ ଶାସକ ଦଳ । ଶାସକ ଦଳର ପୋଷ୍ଟର ପ୍ରତି ପ୍ରଶାସନ ଆଖି ବୁଜି ଦେଉଛି, କିନ୍ତୁ ନ୍ୟାୟ ସଙ୍ଗତ ଭାବେ ଲାଗିଥିବା ବିଜେଡିର ପୋଷ୍ଟର, ବ୍ୟାନରକୁ କାଢ଼ି ଫିଙ୍ଗି ଦେଉଛନ୍ତି । ଏପରି ସମ୍ୱେଦନଶୀଳ ମାମଲାରେ ତୁରନ୍ତ ହସ୍ତକ୍ଷେପ କରିବା ଲାଗି ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଛି ବିଜୁ ଜନତା ଦଳ । ବିଜେଡିର ବରିଷ୍ଠ ନେତୃବୃନ୍ଦ ଆଜି ସିଇଓଙ୍କ କାର୍ଯ୍ୟାଳୟରେ ଅଭିଯୋଗ ପତ୍ର ଦାଖଲ କରିଛନ୍ତି ।
ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ବିଜେପି ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆ ନିଜର ପ୍ରଚାର ପାଇଁ ସରକାରୀ ସମ୍ପତ୍ତିର ବ୍ୟବହାର କରୁଛନ୍ତି । ବିଦୁ୍ୟତ ଖୁଣ୍ଟ, ସାଇନ୍ ବୋର୍ଡ ଏବଂ ନୂଆପଡା ଓ ଖରିଆର ଏନ୍ଏସି ମଧ୍ୟରେ ଯାଇଥିବା ଜାତୀୟ ରାଜପଥ ନମ୍ୱର ୩୫୩ରେ ବିଜେପି ପ୍ରଚାର ପୋଷ୍ଟର ଏବଂ ବ୍ୟାନର ଲଗାଇଛନ୍ତି । ଏହି ବ୍ୟାନର ଓ ହୋର୍ଡିଂ ଗୁଡ଼ିକରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଏବଂ ବିଜେପିର ଅନ୍ୟାନ୍ୟ ନେତାଙ୍କ ଛବି ରହିଛି ।
ବିଜୁ ଜନତା ଦଳ ଏହାକୁ ସରକାରୀ ସମ୍ପତ୍ତିର ସ୍ପଷ୍ଟ ଦୁରୁପଯୋଗ ଏବଂ ନିର୍ବାଚନ ଆଚରଣ ବିଧିର ଗଭୀର ଉଲ୍ଲଙ୍ଘନ ବୋଲି ଅଭିଯୋଗ କରିଛି । ବିଜେପି ପକ୍ଷରୁ ଲଗାଯାଇଥିବା ସମସ୍ତ ଅବୈଧ ବ୍ୟାନର ଏବଂ ହୋର୍ଡିଂ ତୁରନ୍ତ ହଟାଇବା ପାଇଁ ବିଜେଡି ଦାବି କରିଛି । ଏଥି ସହିତ ବିଜେଡି ଆଇନଗତ ଭାବେ ଲଗାଇଥିବା ପୋଷ୍ଟର ବ୍ୟାନର ଆଦି କେଉଁ ପରିସ୍ଥିତିରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ହଟାଇଲେ ତାହାର ନିରପେକ୍ଷ ତଦନ୍ତ କରିବା ପାଇଁ ମଧ୍ୟ ବିଜେଡି ସିଇଓଙ୍କ ନିକଟରେ ଦୃଢ଼ ଦାବି ଉପସ୍ଥାପନ କରିଛି । ସିଇଓଙ୍କୁ ଅଭିଯୋଗ ଦାଖଲ ସମୟରେ ବିଜେଡି ପ୍ରତିନିଧି ମଣ୍ଡଳୀରେ ଡ଼ ଲେନିନ ମହାନ୍ତି, ଶ୍ରୀମତୀ ସୁଲତା ଦେଓ, ଶ୍ରୀ ମିହିର ରାୟ, ଇଲା ସ୍ୱାଇଁ, ରୀତାଞ୍ଜଳି ପ୍ରଧାନ, ସଂଗ୍ରାମ ମହାପାତ୍ର, ଲୋରା ମହାପାତ୍ର ଏବଂ ଅଂଶୁ ତ୍ରିପାଠୀ ସାମିଲ ଥିଲେ ।
ବିଜୁ ଜନତା ଦଳ ସର୍ବଦା ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ ପ୍ରକ୍ରିୟା ପାଇଁ ସର୍ବଦା ପ୍ରତିଶ୍ରୁତିବଦ୍ଧ । ନିର୍ବାଚନ ପ୍ରକ୍ରିୟାରେ ପ୍ରତ୍ୟେକ ଦଳ ଓ ପ୍ରାର୍ଥୀ ଯତ୍ନବାନ ରହିବା ଆବଶ୍ୟକ ବୋଲି ଦଳ ପକ୍ଷରୁ କୁହାଯାଇଛି ।


.jpg)
0 Comments