ପୁରୀ : ୨୧/୧୨/୨୫ : ଆସନ୍ତା ଖ୍ରୀଷ୍ଟମାସ ଓ ନବବର୍ଷ ୨୦୨୬ ଉତ୍ସବ ଅବସରରେ ପୁରୀ ଜିଲ୍ଲାକୁ ବହୁ ସଂଖ୍ୟକ ପର୍ଯ୍ୟଟକ, ଶ୍ରଦ୍ଧାଳୁ ଓ ସାଧାରଣ ଜନତାଙ୍କ ଆଗମନ ହେବାର ସମ୍ଭାବନା ରହିଛି। ଏହି ପରିପ୍ରେକ୍ଷୀରେ ସାର୍ବଜନିକ ସୁରକ୍ଷା, ଆଇନ ଓ ଶୃଙ୍ଖଳା ବଜାୟ ରଖିବା, ଅପରାଧ ନିୟନ୍ତ୍ରଣ ଓ ଅପ୍ରୀତିକର ଘଟଣା ପ୍ରତିରୋଧ ନିମନ୍ତେ ପୁରୀ ପୋଲିସ୍ ପକ୍ଷରୁ ସମ୍ପୂର୍ଣ୍ଣ ଜିଲ୍ଲାରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଉତ୍ସବ ସମୟରେ ପୁରୀ ସହର ସହିତ ସମସ୍ତ ପୋଲିସ୍ ଥାନା ଅଞ୍ଚଳ, ପର୍ଯ୍ୟଟନ ସ୍ଥଳ, ସମୁଦ୍ରତଟ, ଭିଡ଼ ହେବାର ସମ୍ଭାବନା ଥିବା ସ୍ଥାନ, ହୋଟେଲ, ଲଜ୍, ଧର୍ମଶାଳା, ବସ୍ଷ୍ଟାଣ୍ଡ, ରେଳ ଷ୍ଟେସନ୍ ଓ ମୁଖ୍ୟ ସଡ଼କ ମାର୍ଗରେ ବିଶେଷ ପୋଲିସ୍ ବ୍ୟବସ୍ଥା ମୁତୟନ କରାଯାଇଛି।
ପୁରୀ ଜିଲ୍ଲାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ତଥା ଜଗନ୍ନାଥ ମନ୍ଦିର ସମୁଦ୍ର କୁଳ ସାତପଡ଼ା, କୋଣାର୍କ, ରାମଚଣ୍ଡୀ ମନ୍ଦିର, ବଲିହାରୀଚଣ୍ଡୀ ମନ୍ଦିର, ବିଶ୍ଵନାଥ ମୁଣ୍ଡିଆ, ରଘୁରାଜପୁର, ଜାହାନିଆ ପୀର ଓ ଅନ୍ୟ ସ୍ଥାନ, ପ୍ରବେଶ ଓ ପ୍ରସ୍ଥାନ ପଥ, ସୀମାଞ୍ଚଳ ଅଞ୍ଚଳ, ସମୁଦ୍ରତଟ ନିକଟ ଏବଂ ସହରର ମୁଖ୍ୟ ଛକ ଗୁଡ଼ିକରେ ନିୟମିତ ଓ ଆକସ୍ମିକ ନାକାବନ୍ଦୀ କରାଯାଉଛି। ଏହା ସହିତ ସମସ୍ତ ପ୍ରକାର ଯାନବାହନର ଗଭୀର ଯାଞ୍ଚ, ଡକ୍ୟୁମେଣ୍ଟ ଭେରିଫିକେସନ୍, ହେଲମେଟ୍, ସିଟ୍ବେଲ୍ଟ୍, ମଦ୍ୟପାନ କରି ଗାଡ଼ି ଚାଳନା ଓ ଟ୍ରାଫିକ୍ ନିୟମ ଉଲ୍ଲଂଘନ ଉପରେ କଡା ନଜର ରଖାଯାଉଛି। ସହର ଓ ଗ୍ରାମାଞ୍ଚଳରେ ଫୁଟ୍ ପେଟ୍ରୋଲିଂ, ମୋବାଇଲ୍ ପେଟ୍ରୋଲିଂ ଓ ନାଇଟ୍ ପେଟ୍ରୋଲିଂ ବଢ଼ାଯାଇଛି। ସନ୍ଦେହଜନକ ବ୍ୟକ୍ତି ଓ ଗତିବିଧି ଉପରେ କଡା ନଜର ରଖାଯାଉଛି। CCTV କ୍ୟାମେରା ଓ ଅନ୍ୟାନ୍ୟ ପ୍ରଯୁକ୍ତିଗତ ସାଧନ ମାଧ୍ୟମରେ ସ୍ଥାୟୀ ଓ ଚଳନ୍ତା ନିରୀକ୍ଷଣ କରାଯାଉଛି। ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂ ସମସ୍ତ ନାଗରିକ, ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କୁ ଆହ୍ୱାନ କରିଛନ୍ତି ସୁରକ୍ଷା ଯାଞ୍ଚ ସମୟରେ ପୋଲିସ୍କୁ ସମ୍ପୂର୍ଣ୍ଣ ସହଯୋଗ କରନ୍ତୁ, ଆବଶ୍ୟକ ଡକ୍ୟୁମେଣ୍ଟ ସହ ଯାତ୍ରା କରନ୍ତୁ ଓ ଟ୍ରାଫିକ୍ ନିୟମ ମାନନ୍ତୁ। କୌଣସି ସନ୍ଦେହଜନକ କାର୍ଯ୍ୟକଳାପ କିମ୍ବା ବ୍ୟକ୍ତି ବିଷୟରେ ତତ୍କ୍ଷଣାତ୍ ନିକଟସ୍ଥ ପୋଲିସ୍ ଥାନା କିମ୍ବା ୧୧୨ କୁ ସୂଚନା ଦେବାକୁ ଅନୁରୋଧ କରିଛନ୍ତି। ପୁରୀ ପୋଲିସ୍ ସମସ୍ତଙ୍କ ସହଯୋଗରେ ଏହି ଉତ୍ସବ ଋତୁକୁ ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଓ ସୁଖଦ କରିବା ପାଇଁ ପ୍ରତିବଦ୍ଧ।


.jpg)
0 Comments