ଭୁବନେଶ୍ୱର, ୩ ଏପ୍ରିଲ:
ରାଜଧାନୀ ଭୁବନେଶ୍ୱରରେ ୨୦୨୫ ଜୁନ୍ ମାସରେ ଘଟିଥିବା ଘୁଙ୍ଗୁର ମିଶ୍ର ଦୁଷ୍କର୍ମ ଘଟଣାକୁ ନେଇ ବିଜୁ ଜନତା ଦଳ ଶୁକ୍ରବାର ସରକାର ଓ ପୋଲିସ୍ ପ୍ରଶାସନ ଉପରେ ତୀବ୍ର ଆକ୍ରମଣ କରିଛି। ପୀଡ଼ିତାଙ୍କୁ ନ୍ୟାୟ ଦେବା ବଦଳରେ ପୋଲିସ୍ ତାଙ୍କୁ ଶୋଷଣ କରିଥିବା ଅଭିଯୋଗ ଉଠାଇ ବିଜେଡି ଏହି ଘଟଣାର ନିଷ୍ପକ୍ଷ ତଦନ୍ତ ସହ ପୀଡ଼ିତାଙ୍କୁ ତୁରନ୍ତ ସୁରକ୍ଷା ଯୋଗାଇବାକୁ ଦାବି କରିଛି।
ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସୀତା ସାହୁ ଓ ବିଜୁ ଯୁବ ଜନତା ଦଳର ମହାସଚିବ ସୋଫିଆ ଆଲାମ କହିଥିଲେ ଯେ, ରାଜ୍ୟରେ ଦୁଷ୍କର୍ମ ଓ ନାରୀ ନିର୍ଯାତନା ଘଟଣା ଉଦ୍ବେଗଜନକ ଭାବେ ବଢ଼ୁଥିବାବେଳେ ପୋଲିସ୍ ପ୍ରଶାସନ ପୀଡ଼ିତାଙ୍କୁ ନ୍ୟାୟ ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି।
ବିଜେଡିର ଅଭିଯୋଗ ଅନୁଯାୟୀ, ଘୁଙ୍ଗୁର ମିଶ୍ର ଦୁଷ୍କର୍ମ ମାମଲାର ତଦନ୍ତ ନାଁରେ ଭରତପୁର ଥାନାର କିଛି ପୋଲିସ୍ କର୍ମଚାରୀ ପୀଡ଼ିତାଙ୍କୁ ଟଙ୍କା ମାଗିଥିବା ସହ ଅଭିଯୁକ୍ତକୁ ଧରିବା ନାଁରେ ବିମାନ ଯାତ୍ରା ପାଇଁ ଟିକେଟ ମଧ୍ୟ ନେଇଥିଲେ। ଏହା ସହ ରାତି ଅଧରେ ବିଭିନ୍ନ ଆଳ ଦେଖାଇ ପୀଡ଼ିତାଙ୍କୁ ‘ନେଗେଟିଭ୍ ଫେବର’ ମାଗିଥିବା ଗୁରୁତର ଅଭିଯୋଗ ମଧ୍ୟ ବିଜେଡି ପକ୍ଷରୁ କରାଯାଇଛି।
ଦଳ ପକ୍ଷରୁ କୁହାଯାଇଛି ଯେ, ପୋଲିସ୍ ପାଖରୁ ନ୍ୟାୟ ନମିଳିବା ପରେ ପୀଡ଼ିତା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମଧ୍ୟ ଗୁହାରି କରିଥିଲେ, କିନ୍ତୁ ସେଠାରୁ ମଧ୍ୟ କୌଣସି ସହାୟତା ମିଳିନଥିଲା। ଗଣମାଧ୍ୟମ ସମ୍ମୁଖରେ ଘଟଣା ଉଠାଇବା ପରେ ପୀଡ଼ିତାଙ୍କୁ ଅଜଣା ନମ୍ବରରୁ ହତ୍ୟା ଧମକ ମିଳୁଥିବା ମଧ୍ୟ ବିଜେଡି ଦାବି କରିଛି।
ଏହି ପରିପ୍ରେକ୍ଷିରେ ବିଜେଡି ପୀଡ଼ିତାଙ୍କୁ ୨୪ ଘଣ୍ଟିଆ ପୋଲିସ୍ ସୁରକ୍ଷା, ଘଟଣାରେ ସମ୍ପୃକ୍ତ ପୋଲିସ୍ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର, ଏବଂ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛି। ପୀଡ଼ିତାଙ୍କୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ଏହି ଲଢ଼େଇ ଜାରି ରହିବ ବୋଲି ଦଳ ସ୍ପଷ୍ଟ କରିଛି।


.jpg)
0 Comments