Header Ads Widget



BREAKING NEWS

6/recent/ticker-posts

ପୋଲିସ କୁ ଅଟକ ରଖିଲେ ଦେଢ଼ ଘଣ୍ଟା ପରେ ଛାଡିଲେ

ଦ ରୁରାଲ ବ୍ୟୁରୋ: ପୁଲିସ ଗାଡିକୁ ଅଟକ ରଖିଲେ ଗାଁ ଲୋକେ । ପିପିଲି ଥାନା ଅନ୍ତର୍ଗତ ଜୟପୁରଶାସନ ଗ୍ରାମର   ଜନୈକ ଯୁବକକୁ ପୁଲିସ ଗ୍ରାମକୁ ଯାଇ ଧରି ଥାନାକୁ ନେଉଥିବା ବେଳେ ପୁଲିସ ଭ୍ୟାନ୍‌କୁ ଉକ୍ତ ଗ୍ରାମର କେତେକ ମହିଳା ଓ ପୁରୁଷ ମାନେ  ଅଟକ ରଖିଥିଲେ  । ପ୍ରାୟ ଦେଢ଼ ଘଣ୍ଟା ଅଟକ ରଖିବା ପରେ ଲୋକେ ପୋଲିସ ଭ୍ୟାନ କୁ ଛାଡ଼ି ଥିଲେ ।  ସୂଚନା ଅନୁସାରେ
ଧଉଳି ଥାନା ଅଂଚଳର ଏକ ମାମଲାରେ ସଂପୃକ୍ତ ଥିବା କେତେକ ଯୁବକ ପିପିଲିର ଜୟପୁରଶାସନ ଗ୍ରାମରେ ଲୁଚି ରହିଥିବା ସଂପର୍କରେ ପୁଲିସକୁ ଖବର ମିଳିଥିଲା । ଧଉଳି ଅଂଚଳର ଏକ ଉଦ୍‌ଘାଟନୀ ଫଳକ ଭଙ୍ଗାରୁଜା ଘଟଣାରେ ସେମାନେ ସଂପୃକ୍ତ ଥିଲେ । ସେମାନଙ୍କୁ ଧରିବା ପାଇଁ ଧଉଳି ପୁଲିସ ଶନିବାର ରାତିରେ ପିପିଲି ପୁଲିସ ସହାୟତାରେ ଜୟପୁରଶାସନ ଗ୍ରାମର ମେଳଣ ପଡିଆ ଠାରେ ଚଢାଉ କରିଥିଲା । ଦୁଇଜଣ ଯୁବକ ଏକ ବାଇକକୁ ଛାଡି ସେଠାରୁ ଫେରାର ହୋଇଯାଇଥିବା ବେଳେ ଉକ୍ତ ଗ୍ରାମର ଜଣେ ଯୁବକକୁ ପୁଲିସ ଧରିଥିଲା । ପରେ ତାକୁ ଭ୍ୟାନ୍‌ରେ ବସାଇ ଥାନାକୁ ନେବାକୁ ପୁଲିସ ଉଦ୍ୟମ କରିବା ସମୟରେ ଉକ୍ତ ଗ୍ରାମର କେତେକ ମହିଳା ଓ ପୁରୁଷ ପୁଲିସ ଭ୍ୟାନ୍‌କୁ ସେଠାରୁ ଯିବାକୁ ଦେଇନଥିଲେ । ଏହାକୁ ନେଇ ସେଠାରେ ଉତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଉକ୍ତ ଯୁବକକୁ ଧଉଳି ପୁଲିସ ମାଡ ମାରିଥିବା ନେଇ ଲୋକେ ଅଭିଯୋଗ କରିବା ସହ ହୋହଲ୍ଲା କରି ଏହାର ପ୍ରତିବାଦ କରିଥିଲେ । ଖବର ପାଇ ପିପିଲି ଥାନାଧିକାରୀ ଦୀପକ କୁମାର ଖଣ୍ଡାୟତରାୟଙ୍କ ସମେତ ଅନ୍ୟ ପୁଲିସ ଅଫିସର ଓ ପୁଲିସ ଫୋର୍ସ ସେଠାରେ ୩ଟି ଭ୍ୟାନ୍‌ରେ ପହଂଚିଥିଲେ । ଉତ୍ୟକ୍ତ ମହିଳା ଓ ପୁରୁଷଙ୍କୁ ଥାନାଧିକାରୀ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ଓ ଉକ୍ତ ଯୁବକ ସମେତ ଜବତ ବାଇକ୍‌କୁ ଧରି ପୁଲିସ ସେଠାରୁ ରାତି ସାଢେ ୧୧ଟାରେ ଥାନାକୁ ଫେରିଥିଲା । ପରେ ଉକ୍ତ ଯୁବକ ସମେତ ଜବତ ବାଇକ୍‌କୁ ଧଉଳି ପୁଲିସ ସାଥିରେ ନେଇଥିବା ସୂଚନା ମିଳିଛି ।

Post a Comment

0 Comments