ଦ ରୁରାଲ ବ୍ୟୁରୋ : ପୁରୀ ଲୋକନାଥ ରୋଡ଼ରେ ଥିବା ଗୁରୁକୃପା ଆଶ୍ରମରେ ଗତ ୨୮ ତାରିଖରେ ଜଣେ ବାବାଙ୍କୁ ହତ୍ୟାକାଣ୍ଡ ଘଟଣାର ରହସ୍ୟ ଉନ୍ମୋଚନ କରିଛି ବାସେଳି ସାହି ଥାନା ପୋଲିସ। ହଠାତ୍ ଦୁଇ ବାବାଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିବାରୁ ଉତ୍ତେଜିତ ହୋଇ ଅଭିଯୁକ୍ତ ବିଷ୍ଣୁ ବାବା ଓରଫ ରବୀନ୍ଦ୍ର କୁମାର ଜେନା ଅର୍ଜୁନ ବାବାଙ୍କୁ କାଠ ଫାଳିଆରେ ପିଟି ପିଟି ଅତି ନିର୍ମମ ଭାବେ ହତ୍ୟା କରିଥିବା ପୋଲିସ ସୂଚନା ଦେଇଛି। ସେହିପରି ସେହିଦିନ ରକ୍ତମୁଖା ବିଷ୍ଣୁ ବାବାର ଆକ୍ରମଣର ଶିକାର ହୋଇ ଗୁରୁତର ଭାବେ କଟକ ବଡ ମେଡିକାଲରେ ଚିକିତ୍ସାଧିନ ହେଉଥିବା ଦୟାନିଧି ଦାସ ବାବାଙ୍କର ମଧ୍ୟ ଆଜି ମୃତ୍ୟୁ ହୋଇଛି। ଅଭିଯୁକ୍ତ ବିଷ୍ଣୁ ବାବା ପ୍ରଥମେ କାଠ ଫାଳିଆରେ ଅର୍ଜୁନ ବାବାଙ୍କ ମୁଣ୍ଡକୁ ଆକ୍ରମଣ କରି ହତ୍ୟା କରିବା ପରେ ସେହି ମଠରେ ଥିବା ଦୟାନିଧି ବାବାଙ୍କୁ ଏକ ଇଟାରେ ଅତି ନୃଶଂସ ଭାବେ ଆକ୍ରମଣ କରି ଗୁରୁତର କରିଦେଇଥିଲା। ତେବେ ଅଭିଯୁକ୍ତ ବିଷ୍ଣୁ ବାବା ଓରଫ ରବୀନ୍ଦ୍ର କୁମାର ଜେନାକୁ ହତ୍ୟାକାଣ୍ଡ ଘଟଣାରେ ବାସେଳୀ ସାହି ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆବଶ୍ୟକ ପଡିଲେ ତାକୁ ରିମାଣ୍ଡରେ ଅଣାଯାଇ ଅଧିକ ପଚରାଉଚରା କରାଯିବ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପୁରୀ ସିଟି ଡିଏସପି। ସେହିପରି ପୁରୀରେ ଥିବା ବିଭିନ୍ନ ମଠ ଏବଂ ଆଶ୍ରମ ଗୁଡିକୁ ମଧ୍ୟ ପୋଲିସ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ଯାଞ୍ଚ କରିବା ସହ ଆଶ୍ରମରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ତଥ୍ୟ ରଖାଯିବ ବୋଲି କହିଛନ୍ତି ସିଟି ଡିଏସପି ପ୍ରଶାନ୍ତ କୁମାର ସାହୁ ।
ସେପଟେ ପୁରୀ ସଦର ଥାନା ମୁକୁନ୍ଦ ମିଶ୍ର ନଗରରେ ଗତ ୨୭ ତାରିଖରେ ବିଜୟ କୁମାର ଖୁଣ୍ଟିଆଙ୍କ ଘର ଉପରକୁ ବୋମା ମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତ ନିଲୁ ବରାଳ ଓ ତା ଗ୍ୟାଙ୍ଗକୁ ଗିରଫ କରିଛି ସଦର ଥାନା ପୋଲିସ। ଅଭିଯୁକ୍ତ ନିଲୁ ବରାଳ ଏବଂ ତା'ର ସହଯୋଗୀ ମୋଟ ୫ ଜଣ ଓଡିଶାରୁ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ପୁରୀ ପୋଲିସର ସ୍ବତନ୍ତ୍ର ସ୍କ୍ୱାର୍ଡ କଟକ ଏବଂ ଭୁବନେଶ୍ବରରୁ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି। ମୁଖ୍ୟ ଅଭିଯୁକ୍ତ ନିଲୁ ବରାଳ ଗତ କିଛି ଦିନ ହେବ ଏନ୍ ବି କମ୍ପାନୀ ନାମରେ ଏକ ଗ୍ରୁପ୍ କରି ଅପରାଧ ସାମ୍ରାଜ୍ୟ ଚଳାଇଛି। ସେହିପରି ସୋସିଆଲ ମିଡିଆରେ ଏନ୍ ବି ଗ୍ରୁପ୍ ନାମକ ଏକ ଆକାଉଣ୍ଟ କରି କମ୍ ବୟସର ପିଲାଙ୍କୁ ନିଜ ଗ୍ୟାଙ୍ଗରେ ସାମିଲ୍ କରାଇବା ପାଇଁ ଆକର୍ଷିତ କରାଉଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବିଜୟ କୁମାର ଖୁଣ୍ଟିଆଙ୍କୁ ଜୀବନରେ ମାରି ଦେବାପାଇଁ ନିଲୁ ବରାଳ ଯୋଜନା କରି ତାଙ୍କ ଘର ଉପରକୁ ବୋମାମାଡ କରିଥିଲା। ସୌଭାଗ୍ୟବଶତଃ ବିଜୟ ଘରେ ନଥିବାରୁ ସେ ବର୍ତ୍ତି ଯାଇଥିଲେ। ତେବେ ଗିରଫ ହୋଇଥିବା ଅଭିଯୁକ୍ତ ନିଲୁ ବରାଳ ଓ ତା ଗ୍ୟାଙ୍ଗ ଠାରୁ ଚାରୋଟି ଜୀବନ୍ତ ବୋମା ଜବତ କରିଛି ସଦର ଥାନା ପୋଲିସ।
ଗତ ୨୬ ତାରିଖରେ ପୁରୀ କୁମ୍ଭାରପଡ଼ା ଥାନା ରେଡକ୍ରସ ରୋଡର ଜଣେ ଯୁବ ନେତା ତଥା ବ୍ୟବସାୟୀ ସୋମନାଥ ସାହୁ ଓରଫ କପଙ୍କୁ ଗୁଳି କରି ହତ୍ୟା ଉଦ୍ୟମ ଘଟଣାକୁ ଚାରିଦିନ ବିତିବାକୁ ବସିଥିବାବେଳେ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇପାରିନାହିଁ। ଆଧ୍ୟାତ୍ମିକ ନଗରୀ ଶ୍ରୀକ୍ଷେତ୍ରରେ କିଛି ଅପରାଧୀ ଆତଙ୍କରାଜ ଆରମ୍ଭ କରିଦେଇଥିବା ବେଳେ କଥା କଥାକେ ଗୁଳି ଏବଂ ବୋମାମାଡ କରି ଜୀବନରେ ମାରିଦେବାକୁ ଉଦ୍ୟମ କରୁଛନ୍ତି। ଯାହାକୁ ନେଇ ବ୍ୟବସାୟୀ ଏବଂ ସହରବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିବାବେଳେ ଏହି ଅପରାଧୀଙ୍କ ବିରୋଧରେ ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସହରବାସୀ ଦାବି କରିଛନ୍ତି।
0 Comments