ଦ ରୁରାଲ ନ୍ୟୁଜ :ସୂଚନା ଅଧିକାର ଆଇନ ବିଷୟରେ ଜନସାଧାରଣମାନଙ୍କୁ ସଚେତନ କରାଇବା ଏବଂ ଏହାର ବ୍ୟାପକ ବ୍ୟବହାର କରିବାକୁ ଲୋକଙ୍କୁ ବୁଝାଇବା ଉଦ୍ଦେଶ୍ୟରେ ଓଡିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ଆରମ୍ଭ ହୋଇଥିବା ସୂଚନା ରଥ ସୋମବାର ଦିନ ପିପିଲି ବ୍ଲକର ବିଭିନ୍ନ ଅଞ୍ଚଳରେ ବୁଲିଛି। ପଥପ୍ରାନ୍ତ ସଭା ଓ ଲିଫଲେଟ୍ ମାଧ୍ୟମରେ ଲୋକଙ୍କୁ ଏହି ଆଇନର ଉପକାରିତା ସମ୍ପର୍କରେ ବୁଝାଯାଇଛି।
ଗତ 16 ତାରିଖରୁ ପୁରୀରୁ ବାହରିଥିବା ସୂଚନା ରଥ ବ୍ରହ୍ମଗିରି, କୃଷ୍ଣପ୍ରସାଦ, ପୁରୀ ସଦର, କାକଟପୁର ଅସ୍ତରଙ୍କ, ନିମାପଡା, ଗୋପ ଆଦି ଅଞ୍ଚଳ ବୁଲିବା ପରେ ସୋମବାର ଦିନ ପିପିଲି ଜଗନ୍ନାଥପୁରରେ ଏହାକୁ ସ୍ୱାଗତ କରାଯାଇଥିଲା । ଏଠାରେ ଆୟୋଜିତ ସ୍ୱାଗତ ସଭାରେ ହାଇକୋର୍ଟର ଆଡଭୋକେଟ୍ ଶ୍ରୀ ନିଶିକାନ୍ତ ମିଶ୍ରଙ୍କ ନେତୃତ୍ୱରେ 50ରୁ ଉର୍ଦ୍ଧ୍ୱ ସାମାଜିକ କର୍ମୀ, ସମାଜସେବୀ, ମାନବିକ ଅଧିକାର କର୍ମୀ, ସୂଚନା ଅଧିକାର କର୍ମୀ, ମହିଳା ସଂଗଠନର କର୍ମୀମାନେ ଯୋଗ ଦେଇଥିଲେ । ଶ୍ରୀମିଶ୍ର କହିଥିଲେ ଯେ ସୂଚନା ଅଧିକାର ଆଇନକୁ ତତ୍କାଳୀନ ସରକାର ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ପାଇଁ ପ୍ରଣୟନ କରିଥିଲେ । କିନ୍ତୁ ଏବେକାର ସରାକର ଏହି ଆଇନକୁ ଦୁର୍ବଳ କରିବାରେ ବ୍ୟସ୍ତ। ସୂଚନା ଅଧିକାର କର୍ମୀମାନଙ୍କ ଉପରେ ହେଉଥିବା ଆକ୍ରମଣକୁ ମଧ୍ୟ ଦୃଢ ଭାବେ ନିନ୍ଦା କରିଥିଲେ ।
ଏହାପରେ ପପିଲି ହାଟଛକ ଓ ପିପିଲି ବ୍ଲକ ଛକରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଯୋଗଦେଇ ସୂଚନା ଅଧିକାର ଅଭିଯାନର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ କହିଥିଲେ ଯେ ସରକାରୀ ସ୍ତରରେ ହେଉଥିବା ଦୁର୍ନୀତି ଓ ଅନିୟମିତତାକୁ ସୂଚନା ଅଧିକାର ଆଇନ ହିଁ ଲୋକଲୋଚନକୁ ଆଣିବାରେ ସମର୍ଥ ହୋଇଛି । ତେଣୁ ଏହାକୁ ସାଧାରଣ ଲୋକେ ଅଧିକରୁ ଅଧିକ ବ୍ୟବହାର କରିବା ଉଚିତ୍ । ପରେ ରଥ ନୂଆଶାସନ, ମଙ୍ଗଳପୁର, ଦାଣ୍ଡମୁକନ୍ଦପୁର, ତେଇଶିପୁର, ହାଟସାହି ପଞ୍ଚାୟତ ଅଞ୍ଚଳ ପରିକ୍ରମା କରିଥିଲା । ‘ଆମ ପଇସାରେ ଚାଲେ ସରକାର, ସୂଚନା ପାଇବା ଆମ ଅଧିକାର’, ‘ସୂଚନା ପାଇଁ ସୂଚନା ରଥ, ମଜବୁତ ହେବ ଲୋକଙ୍କ ହାତ’, ‘ସୂଚନା ଅଧିକାର ଲୋକଙ୍କ ବଳ, ଚେତିବ ରାଜ୍ୟର ଶାସନ କଳ’ ଆଦି ସ୍ଲୋଗାନ ଦିଆଯିବା ସହ ଆଇନ ସମ୍ପର୍କିତି ଲିଫଲେଟ୍ ବଣ୍ଟା ଯାଇଥିଲା । ଯେ କୌଣସି କାର୍ଯ୍ୟାଳୟରୁ ମାତ୍ର ୧୦ ଟଙ୍କାରେ ତଥ୍ୟ ମାଗିପାରିବେ ଏବଂ ବିପିଏଲ୍ ଙ୍କୁ କୌଣସି ଅର୍ଥ ଦେବାକୁ ପଡିବ ନାହିଁ ବୋଲି ସୂଚନା ଅଧିକାର କର୍ମୀମାନେ ସୂଚନା ଦେଇଥିଲେ । ସୂଚନା ଅଧିକାର ଅଭିଯାନର ରାଜ୍ୟ ସହ-ସଂଯୋଜକ ଶ୍ରୀ ଅଖଣ୍ଡଙ୍କ ସଂଯୋଜନାରେ ପରିଚାଳିତ ଏହି ଅଭିଯାନରେ ଅନ୍ୟମାନଙ୍କ ମଧ୍ୟରେ ଅନୁପ ପରିଡା, କବିତା ଦାଶ, ପୂର୍ଣ୍ଣଚନ୍ଦ୍ର ନାୟକ, ଶେଖ ମାହବୁବ୍, ବିକାଶ ରାୟ, ଟୁଟୁ ପରିଡା, ପ୍ରଦୀପ ବଢେଇ, ଭକ୍ତିରଂଜନ, ଭରତ ପରିଡା ପ୍ରମୁଖ ସାମିଲ ହୋଇଥିଲେ।
0 Comments