ଦ ରୁରାଲ ବ୍ୟୁରୋ ନ୍ୟୁଜ : ବିଶ୍ୱର ସର୍ବବୃହତ୍ ସୂଚନା ପ୍ରଯୁକ୍ତିବିଦ୍ୟା ସେବା ପ୍ରଦାନକାରୀ ସଂସ୍ଥା ଇନ୍ଫୋସିସର ନୂତନ ବିଜନେସ୍ ପ୍ରୋସେସିଂ ମ୍ୟାନେଜମେଣ୍ଟ ସେଣ୍ଟର୍ (ବିପିଏମ୍) ଶାଖା ଭୁବନେଶ୍ବର ପଟିଆସ୍ଥିତ ଇନ୍ଫୋସିସ ପରିସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କଦ୍ବାରା ଉଦ୍ଘାଟିତ ହୋଇଯାଇଛି । ବିଗତ ଦୁଇ ଦଶନ୍ଧିଧରି ଓଡ଼ିଶା ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଦୃଢ଼ ଏବଂ ସ୍ଥିର ଗତିରେ ବିକାଶ କରିଚାଲିଛି । ଏହାଦ୍ବାରା ରାଜ୍ୟର ଏକପ୍ରକାର କାୟାକଳ୍ପ ଘଟିବା ସହ ନବସୃଜନ ଓ ଅଭିନବ ଉଦ୍ୟମିତା ନୀତି ଜରିଆରେ ଗଭୀର ଆତ୍ମବିଶ୍ବାସର ଏକ ନୂଆ ପରିଭାଷା ସୃଷ୍ଟି ହୋଇପାରିଛି । ଇନ୍ଫୋସିସ ଜାତୀୟ ସ୍ତରରେ, ବିଶେଷକରି ଓଡ଼ିଶାରେ ସୂଚନା ପ୍ରଯୁକ୍ତିବିଦ୍ୟା ଅଭିବୃଦ୍ଧି କ୍ଷେତ୍ରରେ ବିଶେଷ ଭୂମିକା ଗ୍ରହଣ କରିଛି । ବିଗତ ଅଢ଼େଇ ଦଶନ୍ଧିରୁ ଅଧିକ ସମୟ ଧରି ଏହି ପ୍ରମୁଖ ଆଇ.ଟି. ସେବା ପ୍ରଦାନକାରୀ ସଂସ୍ଥାର ରାଜ୍ୟର ବିକାଶ, ରାଜସ୍ବ ବୃଦ୍ଧି ତଥା ନିଯୁକ୍ତି କ୍ଷେତ୍ରରେ ବହୁ ଉଲ୍ଲେଖନୀୟ ଅବଦାନ ରହିଛି । ମୁଁ ବିଶେଷ ଖୁସି ଯେ ଇନ୍ଫୋସିସ ଏହାର ବିଜନେସ୍ ପ୍ରୋସେସିଂ ମ୍ୟାନେଜମେଣ୍ଟ ସେଣ୍ଟର୍ ଓଡ଼ିଶାରେ ଆରମ୍ଭ କରିଛି । ଏହି କେନ୍ଦ୍ରର ସଂପ୍ରସାରଣ ଦ୍ବାରା ଆମ ଯୁବପିଢ଼ିମାନଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଆମ ପିଲାମାନେ ଏହି କେନ୍ଦ୍ରକୁ ଦେଶର ସର୍ବଶ୍ରେଷ୍ଠ ସେବା କେନ୍ଦ୍ରରେ ପରିଣତ କରିବାରେ ସଫଳ ହେବେ ବୋଲି ମୁଁ ଦୃଢ଼ ନିଶ୍ଚିତ । ରାଜ୍ୟ ସରକାର ଏଥିନିମନ୍ତେ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇଦେବାକୁ ମଧ୍ୟ ପ୍ରସ୍ତୁତ ବୋଲି ଅଭିଭାଷଣରେ ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହି ଅବସରରେ ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ତଥା କ୍ରୀଡା, ଯୁବ-କଲ୍ୟାଣ ଓ ଗୃହ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ତୁଷାରକାନ୍ତି ବେହେରା କହିଥିଲେଯେ ଓଡ଼ିଶା ଏବେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ପ୍ରତିଷ୍ଠିତ ବୈଷୟିକ ଅନୁଷ୍ଠାନମାନେ ରାଜ୍ୟ ସରକାରଙ୍କ ନୀତି ନିୟମ ଦ୍ବାରା ଆକୃଷ୍ଟ ହୋଇ ଓଡିଶାରେ ନିଜର ପ୍ରୟୋଗ କେନ୍ଦ୍ର ସ୍ଥାପନା କରିବାପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ନିଃସନ୍ଦେହ ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ଓ ନିଯୁକ୍ତି ସୁଯୋଗ କ୍ଷେତ୍ରରେ ଇନ୍ଫୋସିସ ଅଗ୍ରଣୀ ଭୂମିକାରେ ରହିଆସିଛି । ଏହି ବିଜନେସ୍ ପ୍ରୋସେସିଂ ମ୍ୟାନେଜମେଣ୍ଟ ସେଣ୍ଟର୍ ରାଜ୍ୟର ଉଚ୍ଚଶିକ୍ଷିତ ଯୁବପିଢ଼ିମାନଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ସହାୟକ ହେବ ।
ଇନ୍ଫୋସିସ୍ର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ତଥା ସହକାରୀ ମୁଖ୍ୟ – ଜେଲିଭରି ଶ୍ରୀ ସତୀଶ ଏଚ୍.ସି. ତାଙ୍କ ଅଭିଭାଷଣରେ ରାଜ୍ୟ ସରକାରଙ୍କ ସହଯୋଗର ଭୂରିଭୂରି ପ୍ରଶଂସା କରିଥିଲେ । ବର୍ତ୍ତମାନ ଇନ୍ଫୋସିସ୍ ଭୁବନେଶ୍ୱରରେ ପାଖାପାଖୁ ୧୦,୦୦୦ କର୍ମଚାରୀ କାର୍ଯ୍ୟରତ, ଆଗାମୀ ଭବିଷ୍ୟତରେ ଏହି କ୍ଷମତାକୁ ୨୦, ୦୦୦କୁ ବୃଦ୍ଧି କରାଯିବାର ଯୋଜନା ରହିଛି, ଦକ୍ଷତା ବୃଦ୍ଧି ଏବଂ ନିଯୁକ୍ତି କ୍ଷେତ୍ରରେ ଏହି ନୂତନ କେନ୍ଦ୍ରର ଭୂମିକା ଗୁରୁତ୍ଵପୂର୍ଣ୍ଣ ରହିବ । ଏହାଦ୍ବାରା ଓଡ଼ିଶାର ଶିକ୍ଷିତ ଯୁବପିଢ଼ିମାନଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି ହେବ ।
ଏହି ଅବସରରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଉପଦେଷ୍ଟା ଶ୍ରୀ ଅନୁଭବ ପଟ୍ଟନାୟକ, ଫାଇବ୍-ଟି (5-T) ସଚିବ ଶ୍ରୀ ଭି.କେ. ପାଣ୍ଡିଆନ, ଇଲେକଟ୍ରୋନିକ୍ସ ତଥା ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ମନୋଜ କୁମାର ମିଶ୍ର, ସ୍ଵତନ୍ତ୍ର ସଚିବ ଶ୍ରୀ ମାନସ ରଞ୍ଜନ ପଣ୍ଡା ଏବଂ ଅତିରିକ୍ତ ଶାସନ ସଚିବ ଶ୍ରୀ ମନୋଜ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ରେ ବି.ପି.ଏମ୍. ସେବାକେନ୍ଦ୍ର ମୁଖ୍ୟ, ଉପାଧ୍ୟକ୍ଷ ଶ୍ରୀ ପ୍ରଭାତ କୁମାର ଦାସ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ । ବି.ପି.ଏମ୍. ସେବା ବ୍ୟବସାୟ ମୁଖ୍ୟ, ଉପାଧ୍ୟକ୍ଷ ଶ୍ରୀ ନୀଲ୍ ମୋହନ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।
0 Comments